ବାୟୁସେନାର ଦୁର୍ଘଟଣାଗ୍ରସ୍ଥ ବିମାନ ଏଏନ-୩୨ର ମିଳିଲା ବ୍ଲାକବକ୍ସ : ଜଣେ ଓଡିଆଙ୍କ ସମେତ ୧୩ଜଣ ମୃତ ଘୋଷିତ

804

କନକ ବ୍ୟୁରୋ : ଦୁର୍ଘଟଣାଗ୍ରସ୍ଥ ବିମାନ ଏଏନ-୩୨ର ମିଳିଲା ବ୍ଲାକବକ୍ସ । ୩ତାରିଖରୁ ଅରୁଣାଚଳ ପ୍ରଦେଶର ଘଂଚ ଜଙ୍ଗଲରେ ନିଖୋଜ ହୋଇଥିଲା ବାୟୁସେନାର ଏଏନ-୩୨ ବିମାନ । ବିମାନରେ ଥିବା ସମସ୍ତ ୧୩ କ୍ରିୟୁ ମେମ୍ବରଙ୍କୁ ମୃତ ଘୋଷଣା କରିଛି ବାୟୁସେନା । ଦୁର୍ଘଟଣାସ୍ଥଳକୁ ଯାଇଥିବା ସ୍ୱତନ୍ତ୍ର ଦଳ ସୂଚନା ଦେବା ପରେ ଏହା ଘୋଷଣା କରିଛି ବାୟୁସେନା । ବାୟୁସେନା ପକ୍ଷରୁ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଯାଇଛି ।

ମଙ୍ଗଳବାର ଭଗ୍ନାବଶେଷ ଠାବ ହେବା ପରେ ଗତକାଲି କ୍ରିୟୁ ମେମ୍ବରଙ୍କ ସନ୍ଧାନରେ ଯାଇଥିଲେ ସ୍ୱତନ୍ତ୍ର ଟିମ୍ । ସ୍ୱତନ୍ତ୍ର ହେଲିକପ୍ଟର ସହାୟତାରେ ଯାଇ ଏୟାର ଲିଫ୍ଟ ଜରିଆରେ ଦୁର୍ଘଟଣା ସ୍ଥଳରେ ପହଂଚିଥିଲେ ଏହି ଟିମ୍ । ସେଠାରୁ ତଥ୍ୟ ସଂଗ୍ରହ କରିବା ପରେ ଆଜି ବାୟୁସେନାକୁ ତଥ୍ୟ ଦେଇଥିଲେ । ସ୍ୱତନ୍ତ୍ର ବିମାନରେ ଓଡିଆ ପାଇଲଟ ସୁନୀତ ମହାନ୍ତିଙ୍କ ସମେତ ୧୩ ଜଣ କ୍ରିୟୁ ମେମ୍ବର ରହିଥିଲେ । ଗତ ୩ତାରିଖରେ ଉଡାଣ ଭରିବା ପରେ ଅରୁଣାଂଚଳ ପ୍ରଦେଶ ଘଂଚ ଜଙ୍ଗଲିଆ ଅଂଚଳର ଆକାଶରେ ହଠାତ୍ ନିଖୋଜ ହୋଇଯାଇଥିଲା ବାୟୁ ସେନାର ବିମାନ । ତେବେ ବିମାନ ନିଖୋଜ ହେବାର ଦୀର୍ଘ ୧୦ ଦିନ ପରେ ଏଏନ୩୨ ବିମାନର ଭଗ୍ନାବଶେଷ ଠାବ କରାଯାଇଥିଲା । କିନ୍ତୁ ପାଗ ଖରାପ ଯୋଗୁଁ ସେଠାରେ ପହଂଚିବା କଷ୍ଟକର ଥିଲା । ଅରୁଣାଂଚଳ ପ୍ରଦେଶର ଲିପୋ ନାମକ ଏକ ସ୍ଥାନରୁ ପ୍ରାୟ ୧୬ କିଲୋମିଟର ଦୂର ଘଂଚ ଜଙ୍ଗଲ ଭିତରେ ବାୟୁ ସେନାର ଏଏନ୍-୩୨ ପରିବହନ ବିମାନର ଭଗ୍ନାବଶେଷ ମିଳିଥିଲା ।