କନକ ବ୍ୟୁରୋ : ଇରାନର ଇସପହାନ ସହର ଉପରେ ଇସ୍ରାଏଲର ଆକ୍ରମଣ ଏବେ ପୂରା ବିଶ୍ୱକୁ ଚିନ୍ତାରେ ପକାଇଛି । ଇସ୍ରାଏଲର ଆକ୍ରମଣ ପରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି । ଇସ୍ରାଏଲର ଆକ୍ରମଣକୁ ଦୃଷ୍ଟିରେ ରଖି ଇରାନ ନିଜର ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରିଛି । ଏହାସହ ବିଭିନ୍ନ ସହରକୁ ଉଡାଣ ମଧ୍ୟ ରଦ୍ଦ କରିଛି ।
ଏହାପୂର୍ବରୁ ଇରାନ ଯେତେବେଳେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ସେତେବେଳେ ଇରାନର ନ୍ୟୁକ୍ଲିୟର ଆଡ୍ଡା ଉପରେ ଇସ୍ରାଏଲ ଆକ୍ରମଣ କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲା ଆମେରିକା । ତେବେ ଇରାନର ପରମାଣୁ ଆଡ୍ଡା କ୍ଷତିଗ୍ରସ୍ତ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଇସପହାନ ସହରରେ ପରମାଣୁ ଆଡ୍ଡା ଥିବାରୁ ଇସ୍ରାଏଲ ଏହି ସହରକୁ ଟାର୍ଗେଟ କରିଥିବା କୁହାଯାଉଛି । ଇସ୍ରାଏଲର ଆକ୍ରମଣ ପରେ ଏବେ ପୂରା ବିଶ୍ୱ ପାଇଁ ବିପଦ ସୃଷ୍ଟି ହୋଇଛି । କାରଣ ଏହାପୂର୍ବରୁ ଋଷ-ୟୁକ୍ରେନ ଯୁଦ୍ଧ ବର୍ଷାଧିକ କାଳ ଧରି ଜାରି ରହିଛି । ସେହିଭଳି ଇସ୍ରାଏଲ-ଫିଲିସ୍ତିନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ଫିଲିସ୍ତିନକୁ ଇରାନ ଖୋଲାଖୋଲି ସମର୍ଥନ ଦେଉଥିବା ବେଳେ ଆମେରିକା ଓ ଋଷ ଇସ୍ରାଏଲ ସହ ଛିଡା ହୋଇଛନ୍ତି । ତେଣୁ ଇରାନ-ଇସ୍ରାଏଲ ଯୁଦ୍ଧ ହେଲେ ଅନ୍ୟ କିଛି ଦେଶ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି ।