ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆରକେଏସ ଭଦୋରିଆଙ୍କ ପ୍ରତିକ୍ରିୟା । ଚୀନ୍ ସହ ସୀମା ବିବାଦ ନେଇ ଆଗାମୀ ବୈଠକ ପାଇଁ ଚାଲିଛି ପ୍ରକ୍ରିୟା 

156

କନକ ବ୍ୟୁରୋ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ନେଇ ଖୁବଶୀଘ୍ର ଆଗାମୀ ଆଲୋଚନା ହୋଇପାରେ  । ଏନେଇ ପ୍ରକ୍ରିୟା ଜାରି ରହିଛି  । ଏବିଷୟରେ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆରକେଏସ  ଭଦୋରିଆ  । ଦୁଣ୍ଡିଗାଲରେ ବାୟୁସେନା ଏକାଡେମୀରେ ଗ୍ରାଜୁଏସନ ପରେଡରେ ସମ୍ବୋଧନ କରିବା ଅବସରରେ ବାୟୁସେନା ମୁଖ୍ୟ ଏକଥା କହିଛନ୍ତି  । ସୀମାରୁ ସେନା ଅପସାରଣ ନେଇ ଆଲୋଚନା ଭିତରେ ସୀମା ଉପରେ କଡ଼ା ନଜର ରଖିଛନ୍ତି ତିନି ସେନା  । ନିକଟରେ ଗଲୱାନ ସଂଘର୍ଷକୁ ବର୍ଷେ ପୁରିଥିବା ବେଳେ ଏବେବି ସୀମାରେ ଉତେଜନା ଜାରି ରହିଛି  ।

ପୂର୍ବ ଲଦାଖର କିଛି ଜାଗାରୁ ଉଭୟ ଚୀନ୍ ଓ ଭାରତୀୟ ସେନା ଅପସାରଣ ହୋଇଥିବା ବେଳେ ଏବେ ବି ଅନ୍ୟ କିଛି ଜାଗାରେ ସ୍ଥିତି ଉତେଜନାମୂଳକ ରହିଛି  । ପାଙ୍ଗୋଙ୍ଗ ସୋ ଅଂଚଳରେ ଉଭୟ ପକ୍ଷରୁ ସେନା ଅପସାରଣ ହୋଇସାରିଛି  । ହେଲେ ଗୋଗ୍ରା ଫ୍ରଂଟ ଓ ଡେସପାଙ୍ଗ ଅଂଚଳରେ ଅପସାରଣ ଆଗକୁ ବଢ଼ିପାରି ନାହିଁ  । ଦୁଇ ଦେଶର ସେନା ଏବେ ବି ଏହି ସବୁ ଅଂଚଳରେ ପାଖାପାଖି ରହିଛନ୍ତି  । ସମ୍ପୂର୍ଣ୍ଣ ସେନା ଅପସାରଣ ନେଇ ଭାରତ ଓ ଚୀନ୍ ମଧ୍ୟରେ ୧୨ ରାଉଣ୍ଡ ଆଲୋଚନା ହୋଇସାରିଛି  । ହେଲେ ଚୀନର ଅମାନିଆ ପଣ ଯୋଗୁଁ ଏହା ସମ୍ଭବ ହୋଇପାରି ନାହିଁ  ।

ଗତବର୍ଷ ଜୁନ୍ ୧୫ ରାତିରେ ଲଦାଖର ଗଲୱାନ ଘାଟିରେ ଭାରତୀୟ ସେନା ଓ ପିଏଲଏ ମଧ୍ୟରେ ସଂଘର୍ଷ ଘଟିଥିଲା  । ଏଥିରେ ବିହାର ରେଜିମେଂଟର କମାଣ୍ଡିଂ ଅଫିସର ସନ୍ତୋଷ ବାବୁଙ୍କ ସହ ଅନ୍ୟ ୧୯ ବୀର ଯବାନ ସହିଦ ହୋଇଥିଲେ  । ଚୀନ୍ ପକ୍ଷ ମଧ୍ୟ ବହୁ କ୍ଷତି ସହି ଥିଲା  । ଯଦିଓ ଚୀନ୍ ଏହି କ୍ଷତିକୁ ଲୁଚାଇବାକୁ ଚେଷ୍ଟା କରିଥିଲା, ହେଲେ ଆମେରିକା ଗୁଇନ୍ଦା ସଂସ୍ଥାର ସୂଚନା ଅନୁସାରେ ଏହି ସଂଘର୍ଷରେ ୩୦ରୁ ଅଧିକ ଚୀନ୍ ସୈନିକ ମୃତାହତ ହୋଇଥିଲେ  ।