କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ଭୀଷଣ ରୂପ ନେଇଛି । ଋଷର ବିଶାଳ ସେନା ଆଗରେ ୟୁକ୍ରେନ ବେଶି ଦିନ ତିଷ୍ଠି ପାରିବନି ବୋଲି ପ୍ରଥମେ କୁହାଯାଉଥିଲା । କିନ୍ତୁ ଏହାଭିତରେ ଯୁଦ୍ଧକୁ ୧୩ ଦିନ ବିତିଲାଣି । କିନ୍ତୁ ଏଯାଏଁ ସାହସର ସହ ଋଷକୁ ସାମ୍ନା କରୁଛି ୟୁକ୍ରେନ୍ । ଆଉ ଏସବୁ ଭିତରେ ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଋଷ ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି ।

Advertisment

ଜେଲେନସ୍କି କହିଛନ୍ତି, ସୁମୀରେ ଏବେ ଋଷ ସେନା ବୋମା ବର୍ଷା କରୁଛି । ଋଷ ସୈନିକ ଆକାଶ ପଥରୁ ଯୁଦ୍ଧ ବିମାନରୁ ଏୟାର ବୋମା ପକାଉଛନ୍ତି । ଯାହାଦ୍ୱାରା ସାଧାରଣ ଲୋକ ଏବେ ପଦାକୁ ବାହାରିବାକୁ ଭୟ କରୁଛନ୍ତି । ଏହାସହ ଜେଲେନସ୍କି କହିଛନ୍ତି, ମାରିୟୁପୋଲରେ ହୋଇଥିବା ସେନା କାର୍ଯ୍ୟାନୁଷ୍ଠାନରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ଆଉ ୟୁକ୍ରେନ ସେନା ପକ୍ଷରୁ ଏହାର ମୁହଁତୋଡ ଜବାବ ଦିଆଯାଉଛି । ୟୁକ୍ରେନ ସେନାର ସାହସିକତା ପାଇଁ ଏବେ ଋଷ ଏତେ ଅସ୍ତ୍ରଶସ୍ତ୍ର ବ୍ୟବହାର କଲାଣି ଯାହା ଗତ ୩୦ ବର୍ଷ ଭିତରେ ବି କରିନଥିଲା । ଏହାସହ ୧୩ ଦିନର ଏହି ଯୁଦ୍ଧରେ ଆମେ ଋଷର ୧୨ ହଜାର ସୈନିକଙ୍କୁ ମାରିଥିବା କହିଛନ୍ତି ଜେଲେନସ୍କି ।

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ୍ ଛାଡି ପୋଲାଣ୍ଡ ପଳାୟନ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏହାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।  ରାଷ୍ଟ୍ରପତି ଭବନରୁ ଏକ ଭିଡ଼ିଓ ଜାରି କରି ଜେଲେନସ୍କି କହିଛନ୍ତି, ମୁଁ ରାଜଧାନୀ କିଭରେ ହିଁ  ଅଛି ଏବଂ କାହାକୁ ବି ଡରୁନାହିଁ ।  ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ, ମୁଁ କୌଣସି ବଙ୍କରରେ ଲୁଚି ନାହିଁ  । ଏବେ ବି କିଭରେ ଅଛି, ଯୁଦ୍ଧ ଜିତିବାକୁ ଯେତେବେଳେ ଯାଏଁ ଆବଶ୍ୟକ ପଡିବ ସେତେବେଳେ ଯାଏଁ ଏଠାରେ ରହିବି । ରାଷ୍ଟ୍ରପତି ଭବନରୁ ଏହି ଭିଡିଓ ସେୟାର କରିବା ସହ ଜେଲେନସ୍କି କେବଳ ଋଷକୁ ମୁହଁତୋଡ ଜବାବ ଦେଇନାହାନ୍ତି ବରଂ ୟୁକ୍ରେନବାସୀଙ୍କ ମନରେ ଥିବା ଭ୍ରମକୁ ମଧ୍ୟ ଦୂର କରିଛନ୍ତି ।

ରାଷ୍ଟ୍ରପତି ଭବନରେ ବୁଲୁଥିବାର ଭିଡ଼ିଓ ସେୟାର କରିବା ସହ ପୁଣିଥରେ ବିଶ୍ୱବାସୀଙ୍କ ସାମ୍ନାକୁ ଆସିଛନ୍ତି ଜେଲେନସ୍କି । ଆଉ ଜେଲେନସ୍କିଙ୍କ ଭିଡ଼ିଓ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ରାଜଧାନୀ କିଭକୁ ଚାରିପଟୁ ଘେରି ରହିଛନ୍ତି ଋଷ ସେନା । କେବଳ ଏତିକି ନୁହେଁ ସେ ପଳାୟନ କରିବେ ନାହିଁ ବରଂ ଶେଷ ପର୍ଯ୍ୟନ୍ତ ନିଜ ସାଥୀଙ୍କ ସହ ରାଜଧାନୀରେ ହିଁ ରହିବେ । ଏହାପୂର୍ବରୁ ଜେଲେନସ୍କି କହିଥିଲେ,  ୟୁକ୍ରେନ ଜନତାଙ୍କ ସହ ଅତ୍ୟାଚାର କରିଥିବା ବ୍ୟକ୍ତିଙ୍କ ଠାରୁ ନିଶ୍ଚୟ ପ୍ରତିଶୋଧ ନେବୁ । ୟୁକ୍ରେନବାସୀ କେହି କିଛି ଭୁଲିବେ ନାହିଁ ।