କେନ୍ଦ୍ର ସରକାରଙ୍କ ସଡକ ଓ ପରିବହନ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଏପ୍ରିଲ ପହିଲାରୁ ସବୁ ଚାରି ଚକିଆ ଯାନରେ ରହିବ ଡବଲ ଏୟାର ବ୍ୟାଗ୍

155

କନକ ବ୍ୟୁରୋ : ଦୁର୍ଘଟଣା ବେଳେ ଜୀବନ ସୁରକ୍ଷା ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଗାଇଡଲାଇନ୍ ମୁତାବକ ଏପ୍ରିଲ ପହିଲା ଠାରୁ ତିଆରି ହେଉଥିବା ସମସ୍ତ କାରରେ ଏୟାର ବ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି ।
ଦେଶରେ ବଢୁଥିବା ସଡକ ଦୁର୍ଘଟଣାକୁ ଏଡାଇବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ଜାରି କରାଯାଇଥିବା ବିଜ୍ଞପ୍ତି ମୁତାବକ ଚାରିଚକିଆ ଯାନରେ ଡ୍ରାଇଭର ସହ ଆଗରେ ବସିଥିବା ଲୋକ ପାଇଁ ବି ଏୟାର ବ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ଏଭଳି ବ୍ୟବସ୍ଥା ନଥିବାରୁ ଦୁର୍ଘଟଣା ସମୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିଲା । ଏସବୁକୁ ଦୃଷ୍ଟିରେ ରଖି ଶୀର୍ଷ ବୈଷୟିକ କମିଟି ସମସ୍ତ ଗାଡିରେ ଏୟାର ବ୍ୟାଗ୍ ଲଗାଇବା ନିଷ୍ପତ୍ତି ନେବା ସହ ଏହି ବିଜ୍ଞପ୍ତି ଉପରେ ମୋହର ଲଗାଇଛନ୍ତି । ସଡକ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟର ଏକ କମିଟି କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟକୁ ବ୍ୟାପକ ପରାମର୍ଶ ଦେଇଥିଲେ । ତାହା ମଧ୍ୟରେ ପ୍ରତି ଚାରିଚକିଆ ଯାନରେ ଡବଲ ଏୟାର ବ୍ୟାଗ୍ ଲଗାଇବା ଅନ୍ୟତମ । ଏହାର ଗୁରୁତ୍ୱକୁ ନଜରରେ ରଖି ଶୁକ୍ରବାର ଦିନ ବିଭାଗ ପକ୍ଷରୁ ଏଭଳି ବିଜ୍ଞପ୍ତି ଜାରି କରାଯାଇଛି ।

କହିରଖୁ କି ଦେଶରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢୁଥିବାରୁ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଗାଡି ଚାଳକଙ୍କ ପାଇଁ ହେଲମେଟ, ସିଟ୍ ବେଲ୍ଟ,, ଡ୍ରାଇଭିଂ ଲାସେନ୍ସ, ପ୍ରଦୁର୍ଷଣକୁ ନେଇ କଟକଣା ଜାରି କରିଥିଲେ କେନ୍ଦ୍ର ସରକାର । ଏହା ସହ ଅନେକ ରାଜ୍ୟ ସରକାର ମାନେ ବି ସେମାନଙ୍କ ରାଜ୍ୟରେ ଘଟୁଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି କିଛି ଅଲଗା ଅଲଗା ନିୟମ ଜାରି କରିଛନ୍ତି ।