ଛାଡପତ୍ର ପାଇଥିବା ମୁସଲମାନ ମହିଳାଙ୍କୁ ଭରଣପୋଷଣ । ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କଲା ପର୍ସନାଲ ଲ’ ବୋର୍ଡ

‘ସୁପ୍ରିମ’ ରାୟକୁ ବିରୋଧ

178

କନକ ବ୍ୟୁରୋ : ଇସଲାମରେ ଛାଡ଼ପତ୍ରକୁ ଭଲ ବୋଲି ବିବେଚନା କରାଯାଏ ନାହିଁ । କିନ୍ତୁ ଯଦି ସମସ୍ତ ଚେଷ୍ଟା ସତ୍ତ୍ୱେ ଏକାଠି ରହିବା କଷ୍ଟକର ହୋଇଯାଏ, ତେବେ ଅଲଗା ହେବା ହିଁ ଉପଯୁକ୍ତ ବିକଳ୍ପ ବୋଲି ବିଚାର କରାଯାଏ। ଛାଡପତ୍ରର ଶିକାର ହୋଇଥିବା ମହିଳାଙ୍କ ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ତାଙ୍କ ନିଷ୍ପତ୍ତି ମହିଳାଙ୍କ ସ୍ୱାର୍ଥରେ । କିନ୍ତୁ ବୋର୍ଡର ଯୁକ୍ତି ହେଉଛି ଏହା ମୁସଲମାନ ମହିଳାଙ୍କ ଜୀବନକୁ ଖରାପ ଆଡକୁ ପ୍ରଭାବିତ କରିବ। ଯେତେବେଳେ ସଂପୃକ୍ତ ମହିଳା ସହ କୌଣସି ସମ୍ପର୍କ ନାହିଁ, ସେତେବେଳେ ଛାଡ଼ପତ୍ର ପ୍ରାପ୍ତ ମହିଳାଙ୍କ ଭରଣ ପୋଷଣ ଦାୟିତ୍ୱ ପୁରୁଷଙ୍କ ଉପରେ କିପରି ନ୍ୟସ୍ତ କରାଯାଇପାରିବ? ଏହିପରି କିଛି ଯୁକ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ରିଭ୍ୟୁ ପିଟିସନ୍ ଦାଖଲ କରିବାକୁ ପ୍ରସ୍ତୁତ ହେଉଛି। ଲ’ ବୋର୍ଡ କହିଛି ଯେ ସମସ୍ତ ଆଇନଗତ ଏବଂ ଗଣତାନ୍ତ୍ରିକ ଉପାୟ ବ୍ୟବହାର କରି ନିଷ୍ପତ୍ତି ପ୍ରତ୍ୟାହାର କରାଇବାକୁ ଚେଷ୍ଟା କରିବ। ଦେଶର ସର୍ବୋଚ୍ଚ ଅଦାଲତଙ୍କ ଏହି ନିଷ୍ପତ୍ତି ଇସଲାମିକ ଆଇନ ଅର୍ଥାତ୍ ଶରିଆ ବିରୋଧରେ ବୋଲି ମୁସଲିମ ପର୍ସନାଲ ଲ’ ବୋର୍ଡ କହିଛି।

ଭାରତରେ ହିନ୍ଦୁମାନଙ୍କ ପାଇଁ ହିନ୍ଦୁ କୋଡ୍ ଆଇନ ରହିଛି, ସେହିଭଳି ମୁସଲମାନମାନଙ୍କ ପାଇଁ ଶରିୟା ଆପ୍ଲିକେସନ୍ ଆକ୍ଟ, ୧୯୩୭ ରହିଛି। ଏଥିସହ ସମ୍ବିଧାନର ଧାରା ୨୫ ଭାରତର ସମସ୍ତ ନାଗରିକଙ୍କୁ ସେମାନଙ୍କ ଧର୍ମ ଅନୁସରଣ କରିବାର ସ୍ୱାଧୀନତା ଦେଇଛି। ଏହା ପୂର୍ବରୁ ପ୍ରାୟ ୪୦ ବର୍ଷ ତଳେ ଇନ୍ଦୋରର ଜଣେ ୬୨ ବର୍ଷୀୟା ମହିଳା ଶାହା ବାନୋଙ୍କୁ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ ପରେ ଛାଡ଼ପତ୍ର ଦେଇଥିଲେ । ଏହାପରେ ଶାହ ବାନୋ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଭରଣପୋଷଣ ପାଇଁ ରାୟ ଦେଇଥିଲେ। ନିଷ୍ପତ୍ତିକୁ ସମଗ୍ର ଦେଶରେ ମୁସଲମାନ ସଂଗଠନ ବିରୋଧ କରିଥିଲେ। ଏହାପରେ ରାଜୀବ ଗାନ୍ଧୀ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ରଦ୍ଦ କରିଥିଲେ।

ମୁସଲମାନ ମହିଳାମାନଙ୍କର ଭରଣପୋଷଣର ଅଧିକାର ଅନ୍ୟ ଧର୍ମର ମହିଳାଙ୍କ ଭଳି ରହିଛି । ଜୁଲାଇ ୧୦ରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଏହି ମାମଲାର ଶୁଣାଣି କରି ଜଷ୍ଟିସ ବିଭି ନାଗରତ୍ନା କହିଛନ୍ତି ଯେ ଭାରତୀୟ ପୁରୁଷମାନେ ନିଜ ପତ୍ନୀଙ୍କ ବଳିଦାନକୁ ସ୍ୱୀକୃତି ଦେବାର ସମୟ ଆସିଛି। ଉଭୟ ପତି-ପତ୍ନୀଙ୍କୁ ଜଏଂଟ ଆକାଉଣ୍ଟ ଖୋଲିବା ଏବଂ ନିୟମିତ ଆର୍ଥିକ ସହାୟତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି।