କନକ ବ୍ୟୁରୋ : ଉତ୍ତରପ୍ରଦେଶ ରାଜନୀତିରେ ଏବେ ଆଜମ ଖାନଙ୍କୁ ନେଇ ଚର୍ଚ୍ଚା ବଢିଛି । ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ବିଧାୟକ ଆଜମ ଖାନଙ୍କୁ ଏଆଇଏମଆଇଏମ ଦଳରେ ସାମିଲ ହେବାକୁ ଦଳ ପକ୍ଷରୁ ନିମନ୍ତ୍ରଣ ମିଳିଛି । ସୀତାପୁର ଜେଲରେ ଥିବା ଆଜମ ଖାନଙ୍କୁ ଏନେଇ ଏଆଇଏମଆଇଏମ ପକ୍ଷରୁ ଚିଠି ଲେଖାଯାଇଛି । ଆଜମ ଖାନଙ୍କୁ ଏହି ଚିଠି ଏଆଇଏମଆଇଏମର ମୁଖପାତ୍ର ମହମ୍ମଦ ଫରହାନ ଲେଖିଛନ୍ତି । ପରହାନଙ୍କ କହିବା ଅନୁଯାୟୀ, ଅସଦୁଦ୍ଦିଦ ଓୱେସିଙ୍କ ସହ ଆଲୋଚନା ପରେ ଏହି ଆଜମ ଖାନଙ୍କୁ ଏହି ଚିଠି ପଠାଯାଇଛି । ଏହାସହ ଚିଠିରେ ସମାଜବାଦୀ ପାର୍ଟି ଉପରେ ବର୍ଷିବା ସହ ଫରହାନ ଲେଖିଛନ୍ତି, ମୁସଲିମ ସମ୍ପ୍ରଦାୟ ପ୍ରତି ସମାଜବାଦୀ ପାର୍ଟିର ଟିକିଏ ବି ଦରଦ ନାହିଁ । ମୁସଲିମ୍ ସମ୍ପ୍ରଦାୟକୁ କେବଳ ଭୋଟବ୍ୟାଙ୍କ ଭାବୁଛି ସମାଜବାଦୀ ପାର୍ଟି । ଗତ ୩ ବର୍ଷ ମଧ୍ୟରେ ଆଜମ ଖାନ ଓ ତାଙ୍କ ପରିବାରକୁ ନେଇ ଅଖିଳେଶ ଯାଦବ କିମ୍ବା ତାଙ୍କର ଅନୁଗତ କେହି ସ୍ୱର ଉଠାଇ ନାହାନ୍ତି । ତେଣୁ ଆଜମ ଖାନ୍ ଏଆଇଏମଆଇଏମ ଦଳରେ ମିଶି ମୁସଲିମ ସମ୍ପ୍ରଦାୟକୁ ରାଜନୀତିରେ ନୂଆ ପରିଚୟ ଦେବାରେ ସହାୟକ ହୁଅନ୍ତୁ ।

Advertisment

ଏହାସହ ଏଆଇଏମଆଇଏମ ନେତା ଜେଲରେ ଭେଟିବାକୁ ଆଜମ ଖାନଙ୍କୁ ସମୟ ମାଗିଛନ୍ତି । ଆଉ ଆଜମ ଖାନଙ୍କ ମଞ୍ଜୁରି ମିଳିବା ମାତ୍ରେ ଏଆଇଏମଆଇଏମ ନେତା ଜେଲରେ ଭେଟିବା ସହ ଦଳରେ ମିଶିବା ପାଇଁ ବିଧିବଦ୍ଧ ଭାବେ ନିମନ୍ତ୍ରଣ ଦେବେ ।