ଏନପିଆର ନେଇ ସ୍ପଷ୍ଟୀକରଣ ରଖିଲେ ଗୃହମନ୍ତ୍ରୀ ଅମିତ ଶାହା : ଏନଆରସି ପାଇଁ ବ୍ୟବହାର ହେବନି ଏନପିଆରର ତଥ୍ୟ,ଏନପିଆରରେ ନାଁ ନଥିଲେ ବି ଯିବନି ନାଗରିକତା

ଏନପିଆର ନେଇ ସ୍ପଷ୍ଟୀକରଣ ରଖିଲେ ଗୃହମନ୍ତ୍ରୀ ଅମିତ ଶାହା : ଏନଆରସି ପାଇଁ ବ୍ୟବହାର ହେବନି ଏନପିଆରର ତଥ୍ୟ,ଏନପିଆରରେ ନାଁ ନଥିଲେ ବି ଯିବନି ନାଗରିକତା

ଜାତୀୟ ଜନସଂଖ୍ୟା ପଞ୍ଜିକରଣ(ଏନପିଆର) ଏବଂ ଜାତୀୟ ନାଗରିକତା ପଞ୍ଜିକରଣ (ଏନଆରସି) ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଏକ ଖବର ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ଏହା ସ୍ପଷ୍ଟ କରିଛନ୍ତି। ଏହା ସହିତ ଏନପିଆର ଏବଂ ଏନଆରସି ମଧ୍ୟରେ ସମ୍ପର୍କ ଥିବା ଦର୍ଶାଇ ଏହାକୁ ପଶ୍ଚିମବଙ୍ଗ ଓ କେରଳ ସରକାର ବନ୍ଦ କରିଦେଇଥିବାରୁ ଉଭୟ ରାଜ୍ୟର ସରକାର ଏ ଦିଗରେ ପୁନଃ ବିଚାର କରିବାକୁ ଶାହ ନିବେଦନ କରିଛନ୍ତି। ଶାହ କହିଛନ୍ତି, ଏନପିଆରର କୌଣସି ତଥ୍ୟ ଏନଆରସିରେ ବ୍ୟବହାର କରାଯିବ ନାହିଁ। ଦୁଇଟି ଯାକ ପ୍ରକ୍ରିୟା ଭିନ୍ନ। ଏହି ପ୍ରକ୍ରିୟା ଏନଡିଏ ସରକାର ଆରମ୍ଭ କରିନାହିଁ। ୟୁପିଏ ସରକାର ସମୟରୁ ଏହାର ଆରମ୍ଭ ହୋଇଥିଲା। ଶାହ କହିଛନ୍ତି ଯେ, କିଛି ଲୋକ ଏନପିଆରକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି କରାଉଛନ୍ତି। ଲୋକଙ୍କୁ ଭୁଲ ସୂଚନା ଦିଆଯାଉଛି। ଏନଆରସି ପ୍ରସଙ୍ଗରେ ଶାହ କହିଥିଲେ ଯେ, ବର୍ତ୍ତମାନ ଏ ନେଇ କୌଣସି ଆଲୋଚନା ହୋଇନାହିଁ। ନା କ୍ୟାବିନେଟରେ ନା ସଂସଦରେ, କୌଣସି ସ୍ଥାନରେ ଏ ନେଇ ଆଲୋଚନା ହୋଇନାହିଁ। କେନ୍ଦ୍ର ମନ୍ତ୍ରିମଣ୍ଡଳ ଭାରତର ୨୦୨୧ ଜନଗଣନାର ସଞ୍ଚାଳନ ଏବଂ ଏନପିଆରକୁ ଅପଡେଟ୍ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ।

ଏ ନେଇ ଶାହ କହିଛନ୍ତି, ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହେଉଥିଲା ଏବଂ ୟୁପିଏ ସରକାର ଦ୍ବାରା ଏନପିଆର ଆରମ୍ଭ କରାଯାଇଥିଲା । ଏହାକୁ ଏନଡିଏ ସରକାର ଆଗକୁ ନେଉଛନ୍ତି। କାରଣ ଏହା ଏକ ଭଲ ଅଭ୍ୟାସ ଥିଲା । ସେ କହିଥିଲେ, ଏନପିଆର ହେଉଛି ଜନସଂଖ୍ୟା ପଞ୍ଜିକା, ଏନଆରସି ନାଗରିକଙ୍କ ପଞ୍ଜିକା । ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଦେଶରେ ରହୁଥିବା ଲୋକଙ୍କ ନାମ ଏନପିଆରେ ରହିଛି, ଯାହା ଆଧାରରେ ବିଭିନ୍ନ କାର୍ୟ୍ୟକ୍ରମ ଓ ଯୋଜନା କରାଯାଉଛି। ଏପରି କି ଏନପିଆର ସମ୍ପର୍କରେ ନିଜର ଆଭିମୁଖ୍ୟ ରଖିବା ସମୟରେ ଶାହ ଗୁଜରାଟରେ ରହୁଥିବା ଓଡ଼ିଆମାନଙ୍କ କଥା କହି ଉଦାହରଣ ଦେଇଥିଲେ । ଗୁଜରାଟରେ ରହୁଥିବା ଓଡ଼ିଆମାନଙ୍କ ନାମ ଏନପିଆରରେ ସାମିଲ ହେଲେ, ସେମାନଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇପାରିବ ବୋଲି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe