ପିଏଫଆଇ ଉପରେ ୫ ବର୍ଷ ବ୍ୟାନ ଲଗାଇଲେ କେନ୍ଦ୍ର ସରକାର, ଆରଏସଏସକୁ ବ୍ୟାନ କରିବାକୁ ଓୱେସୀ ଓ ଲାଲୁଙ୍କ ଦାବି

949

କନକ ବ୍ୟୁରୋ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ କେନ୍ଦ୍ର ସରକାର ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି । ଏହାସହ କେନ୍ଦ୍ର ସରକାର ଏହି ସଂଗଠନ ଉପରେ ଉଚିତ ପଦକ୍ଷେପ ନେବାକୁ ରାଜ୍ୟସରକାରମାନଙ୍କୁ ବି ଅଧିକାର ଦେଇଛନ୍ତି । ପିଏଫଆଇ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ୟୁଏପିଏ ଆଇନ ଅଧିନରେ କରାଯାଇଛି ।

ସେପଟେ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଯିବା ପରେ କିଛି ବିରୋଧୀ ନେତା ସ୍ୱର ଉଠାଇଛନ୍ତି । ହାଇଦ୍ରାବାଦର ସାଂସଦ ତଥା ଏଆଇଏମଆଇଏମର ପ୍ରମୁଖ ଅସଦୁଦ୍ଦିନ ଓୱେସୀ ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ ପିଏଫଆଇ ଉପରେ ଏଭଳି ଭାବେ ପ୍ରତିବନ୍ଧକ ଲଗାଯିବାକୁ ସେ ସମର୍ଥନ କରୁନାହାଁନ୍ତି । ଏହାର କାରଣ ଭାବେ ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏଭଳି କରି ମୁସଲମାନ ଯୁବକଙ୍କ ମନର କଥାକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ଓୱେସୀ କହିଛନ୍ତି କି ପିଏଫଆଇ ଉପରେ ସରକାର ପ୍ରତିବନ୍ଧକ ତ ଲଗାଇଦେଲେ ହେଲେ ଖ୍ୱାଜା ଅଜମେରୀ ବିସ୍ଫୋରଣରେ ସାମିଲ ଥିବା ସଂଗଠନ ଆରଏସଏସ ଉପରେ କେବେ ପ୍ରତିବନ୍ଧକ ଲାଗିବ ।

କେବଳ ଓୱେସୀ ନୁହଁନ୍ତି ବିହାରରେ ଆରଜେଡି ଓ ଜେଡିୟୁ ମଧ୍ୟ ଆରଏସଏସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଆରଜେଡି ମୁଖ୍ୟ ଲାଲୁ ଯାଦବ କହିଛନ୍ତି କି ପିଏଫଆଇ ସହିତ ଆରଏସଏସ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବା ଉଚିତ୍ ।