ନଷ୍ଟ ହୋଇଯାଇଛି ୨ଟି ଯାକ କିଡନୀ, ଚିକିତ୍ସା ପାଇଁ ଟଙ୍କା ନାହିଁ । କାଳିଆ ଭରସାରେ ଭାଗ୍ୟକୁ ଆଦରି ଜୀବନ ଜିଇଁବାକୁ ସଂଘର୍ଷ କରୁଛନ୍ତି ବାଲେଶ୍ୱରର ହରିଶ ।

130

କନକ ବ୍ୟୁରୋ : ଜଗାରେ…ଆଉ ଯନ୍ତ୍ରଣା ସହିପାରୁନିରେ ଜଗା । ମୋ କିଡନୀ ଭଲ କରିଦେ କାଳିଆ, ମୋ କିଡନୀ ଭଲ କରି ଦେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୂତେଇ ବଡ଼ ଗାଁର ୨୫ ବର୍ଷୀୟ ଯୁବକ ହରିଶ ଚନ୍ଦ୍ର ପଣ୍ଡା । କାଳିଆ ଭରସାରେ ଭାଗ୍ୟକୁ ଆଦରି, ଜୀବନ ଜିଇଁବାକୁ ସେ ସଂଘର୍ଷ କରୁଛନ୍ତି । ଭକ୍ତିଭାବରେ ଭାବର ଠାକୁରଙ୍କୁ ପୂଜା କରୁଥିବା ହରିଶଙ୍କ ଦୁଃଖ କଷ୍ଟର କାହାଣୀ ଶୁଣିଲେ, ଆପଣଙ୍କ ଆଖି ବି ଓଦା ହୋଇଯିବ ।

ହରିଶଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଗତ ୩ ବର୍ଷ ହେଲାଣି ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବଂଚିବା ପାଇଁ ସପ୍ତାହକୁ ୨ରୁ ୩ଥର ଡାଇଲିସିସର ଆବଶ୍ୟକ ପଡୁଛି । ଏପରିକି ତାଙ୍କ ହାତରେ ଅହରହ ଏକ ମେସିନ୍ ଚାଲିଛି । ଡାକ୍ତର କହିଛନ୍ତି, କିଡନୀ ଟ୍ରାନ୍ସପ୍ଲାଂଟ କରିବା ନିହାତି ଦରକାର । ଏଥିପାଇଁ ଅନେକ ଟଙ୍କାର ଆବଶ୍ୟକତା ରହିଛି । କିନ୍ତୁ ମନ୍ଦିରରେ ପୂଜା କରି ଏମିତି କେତେ ଟଙ୍କା ଯେ ରୋଜଗାର ହେଉଥିବ । ଯେଉଁଠି ଔଷଧ କିଣିବା ପାଇଁ ଟଙ୍କା ଯୋଗାଡ କରିପାରୁନାହାନ୍ତି, ସେଠାରେ କିଡନୀ ଟ୍ରାନ୍ସପ୍ଲାଂଟ ପାଇଁ ଟଙ୍କା ଆସିବ ବା କେଉଁଠୁ ।

ପିଲାଟି ବେଳୁ ଭଲ ପାଠ ପଢୁଥିଲେ ହରିଶ । ଅନେକ ସ୍ୱପ୍ନ ବି ଦେଖିଥିଲେ । ରୋଗରେ ଆକ୍ରାନ୍ତ ହୋଇ ବାପା ମା’ ଦୁଇଜଣ ଆରପାରିକୁ ଚାଲିଯିବା ପରେ ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ପାଠ ପଢିବା ତ ଦୂରର କଥା ବୋଝ ଉପରେ ନଳିତା ବିଡା ପରି, ତାଙ୍କର ଦୁଇଟି ଯାକ କିଡନୀ ବି ନଷ୍ଟ ହୋଇଗଲା । ମାମୁଁ ଘରେ ରହି ଜୀବନ ସହ ସଂଘର୍ଷ କରୁଥିବା ବେଳେ, ମାମୁଁଙ୍କ ଘରର ବି ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ ।

ଗରିବ ଅସହାୟଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବି ବାଂଟୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ହରିଶଙ୍କୁ ମଧ୍ୟ ଯଦି ସରକାରୀ ସହାୟତାରେ ଚିକିତ୍ସା କରାଯାଇପାରନ୍ତା, ତେବେ ସେ ଏକ ନୂଆ ଜୀବନ ଜିଇଁପାରନ୍ତେ । ଆପଣ ବି ଯଦି ହରିଶଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ନୋଟ୍ କରନ୍ତୁ

ହରିଶ ଚନ୍ଦ୍ର ପଣ୍ଡା
ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟ ନମ୍ବର – ୩୭୯୧୯୨୪୪୫୪୫
ଆଇଏଫଏସସି କୋଡ୍ – ଏସବିଆଇଏନ୍ ୦୦୧୦୯୦୨
ଫୋନ୍ ପେ ନମ୍ବର – ୭୭୮୮୯୯୭୨୫୫