ଚାରା ଘୋଟାଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଜେଲ୍ ଦଣ୍ଡାଦେଶ । ୫ ବର୍ଷ ଜେଲ୍ ସହିତ ୬୦ ଲକ୍ଷ ଟଙ୍କା ଜୋରିମାନା ।

103

କନକ ବ୍ୟୁରୋ : ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ବଡ ଝଟକା ଲାଗିଛି । ବିହାରର ବହୁ ଚର୍ଚ୍ଚିତ ଚାରା ଦୁର୍ନିତୀ ମାମଲାରେ ପୁଣି ଥରେ ଜେଲ ଯିବେ ଲାଲୁ । ଡୋରଣ୍ଡା ଟ୍ରେଜେରୀ ମାମଲାରେ ଲାଲୁଙ୍କୁ ୫ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ରାଞ୍ଚି ସିବିଆଇ ସ୍ୱତନ୍ତ୍ର କୋର୍ଟ । ୫ ବର୍ଷର ଜେଲ ଦଣ୍ଡାଦେଶ ସହ ୬୦ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଗୋ-ଖାଦ୍ୟ ଦୁର୍ନିତୀର ୫ମ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ୫ବର୍ଷର ଜେଲଦଣ୍ଡ ମିଳିଛି । ଏଥିସହ ଲାଲୁଙ୍କ ଉପରେ ୬୦ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଫେବୃଆରୀ ୧୫ରେ କୋର୍ଟ ଲାଲୁଙ୍କ ସମେତ ୯୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ସୋମବାର ଏହି ମାମଲାର ଦଣ୍ଡଶୁଣାଣୀ କରାଯାଇଛି ।

ବିହାରର ମୁଖ୍ୟମନ୍ତ୍ରୀ ଥିବାବେଳେ ଲାଲୁ ବେଆଇନ ଭାବେ ଡୋରଣ୍ଡା ଟ୍ରେଜେରୀରୁ ୧୩୯କୋଟି ୫୦ଲକ୍ଷ ଟଙ୍କା ଉଠାଇଥିଲେ । ପୂର୍ବରୁ ଗୋ ଖାଦ୍ୟ ଦୁର୍ନିତୀ ସହ ଜଡିତ ୪ଟି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗିଛନ୍ତି । ନିକଟରେ ଅସୁସ୍ଥତା କାରଣରୁ ତାଙ୍କୁ ଜାମିନ ମିିଳିଥିଲା । ୪ଟି ମାମଲାରେ ଲାଲୁ ୧୪ବର୍ଷ ଜେଲ ଦଣ୍ଡ ଭୋଗିସାରିଲେଣି ।

ସୋମବାର ଏହି ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଶୁଣାଣି ବେଳେ ଲାଲୁଙ୍କ ଶରୀରର ରକ୍ତ ଚାପ ଏବଂ ସୁଗାର ଲେବୁଲ ବଢିଯାଇଥିଲା । ସେହିପରି ତାଙ୍କ କିଡନୀ ଖରାପ ହୋଇଥିବାର ଖବର ସାମ୍ନାକୁ ଆସିଛି । ଲାଲୁଙ୍କ କିଡନୀ ଏବେ ୨୦ ପ୍ରତିଶତ କାମ କରୁଛି ବୋଲି ଜଣାପଡିଛି । ସେପଟେ ଲାଲୁଙ୍କ ଓକିଲ କହିଛନ୍ତି ସିବିଆଇ କୋର୍ଟର ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ।

ଏବେ ଆସନ୍ତୁ ଦେଖିବା ପୁରା ମାମଲା କ’ଣ ଥିଲା ।
ଲାଲୁ ଓ ଦୁର୍ନୀତି:
– ଡୋରଣ୍ଡା ଟ୍ରେଜେରୀରୁ ୧୩୯ କୋଟି ୩୫ ଲକ୍ଷ ଟଙ୍କା ହଡପ ନେଇ ଅଭିଯୋଗ ହୋଇଥିଲା
– ୧୯୯୦ରୁ ୧୯୯୫ ମସିହା ମଧ୍ୟରେ ହୋଇଥିଲା ଦୁର୍ନୀତି
-୧୯୯୬ରେ ମାମଲା ରୁଜୁ ହୋଇଥିଲା, ୧୭୦ ଲୋକ ଅଭିଯୁକ୍ତ ଥିଲେ
-ଏମାନଙ୍କ ମଧ୍ୟରୁ ୫୫ ଜଣଙ୍କ ମୃତ୍ୟୁ ହୋଇସାରିଛି, ୭ ଜଣ ସରକାରୀ ସାକ୍ଷୀ ହୋଇଛନ୍ତି
-୨ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିସାରିଛନ୍ତି, ୬ ଏବେ ବି ଫେରାର ଅଛନ୍ତି
-ବାକି ୯୯ଙ୍କ ମଧ୍ୟରୁ ୨୪ ଜଣ ନିର୍ଦ୍ଦୋଷରେ ଖଲାସ ହୋଇସାରିଛନ୍ତି
-ଫେବୃଆରୀ ୧୫ରେ ଲାଲୁ ଯାଦବଙ୍କ ସହ ୭୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ
-ଚାରା ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ଏହା ହେଉଛି ୫ମ ମାମଲା
-୪ ଅନ୍ୟ ମାମଲାରେ ଲାଲୁଙ୍କୁ ୧୪ ବର୍ଷ ଜେଲ ହୋଇସାରିଛି

ଲାଲୁଙ୍କ ମିଶାଇ ମୋଟ ୧୭୦ଜଣ ଏହି ମାମଲାର ଅଭିଯୁକ୍ତ ଥିଲେ । ସେଥିମଧ୍ୟରୁ ୫ଜଣଙ୍କ ମୃତ୍ୟୁ ହୋଇସାରିଛି । ଲାଲୁଙ୍କ ମିଶାଇ ମୋଟ ୯୯ଜଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୦୧ ମସିହାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା ।