ବିରଳ ଅସ୍ତ୍ରୋପଚାର ପରେ ପ୍ରଥମ ଥର ପାଇଁ ଖୋଲା ଦେହରେ ସାମ୍ନାକୁ ଆସିଲେ ଜଗା-ବଳିଆ ! ହସଖୁସିରେ ଖେଳିଲେ ଦୁଇ ଭାଇ, ଏମ୍ସ ଜାରି କଲା ଭିଡ଼ିଓ

31

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସର ବେଡ୍ ଉପରେ ଖେଳୁଛନ୍ତି ଜଗା-ବଳିଆ । ଉଭୟ ଶିଶୁ ଏବେ ସୁସ୍ଥ ଅଛନ୍ତି । ବିରଳ ଅସ୍ତ୍ରୋପଚାର ପରେ ଯୋଡାମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳର ଦୁଇ ଶିଶୁ ଜଗା-ବଳିଆଙ୍କ ଖେଳୁଥିବାର ଏକ ଭିଡିଓକୁ ଆଜି ଜାରି କରିଛି ଦିଲ୍ଲୀ ଏମ୍ସ ।

ଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କ ଖେଳିବା ଦୃଶ୍ୟ ଓଡିଶାବାସୀଙ୍କ ମୁହଁରେ ହସ ଫୁଟାଇବ ନିଶ୍ଚୟ । ଏକ ବିରଳ ଅସ୍ତ୍ରୋପ୍ରଚାର ପରେ ଦୁଇ ଭାଇଙ୍କ ଖେଳୁଥିବାର ଦୃଶ୍ୟ ସମସ୍ତଙ୍କ ମୁହଁରେ ହସ ଆଉ ମନରେ ଉତ୍ସାହ ଭରିଦେବ । ଜଟିଳ ଅସ୍ତ୍ରୋପଚାର ପରେ ଯୋଡାମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳର ଦୁଇ ଶିଶୁ ଜଗା-ବଳିଆ ପ୍ରଥମ ଥର ପାଇଁ ଖେଳୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ବେଡ୍ ଉପରେ ଦୁଇ ଭାଇ ଏକାଠି ଖେଳୁଛନ୍ତି । ବଳିଆକୁ ପାଖରେ ପାଇ ଜଗା ବହୁତ ଖୁସି ଅଛି । ଏପରିକି ତା ହାତକୁ ଧରି ତାସହ ଖେଳିବାକୁ ଚେଷ୍ଟା କରୁଛି । ଆଉ ବଳିଆ ବି ଜଗାକୁ ଦେଖି ହସିଦେଉଛି ।

Jaga Baliaଦିଲ୍ଲୀ ଏମ୍ସ ଜାରି କରିଥିବା ଭିଡିଓରେ ବଳିଆ ମୁଣ୍ଡରୁ କପଡା ଖୋଲାଯାଇଥିବା ଦେଖାଯାଇଛି । ତେବେ ସଂକ୍ରମଣ ଆଶଙ୍କାରେ ଜଗା ମୁଣ୍ଡରେ ଏବେବି ବ୍ୟାଣ୍ଡେଜ ବନ୍ଧା ରହିଛି । ପ୍ରଥମ ଥର ପାଇଁ ଦୁଇ ଭାଇ ଜଗା-ବଳିଆଙ୍କ ଦେହରେ ତେଲ ଲଗାଇ ଦେଉଛନ୍ତି ଡାକ୍ତର ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ମିଲୁପଡାର ଯୋଡାମୁଣ୍ଡ ଶିଶୁଙ୍କୁ ଦିଲ୍ଲୀ ଏମ୍ସରେ ଜଟିଳ ଅସ୍ତ୍ରୋପଚାର କରି ଅଲଗା କରାଯାଇଛି । ଏବେ ସେମାନେ ଚିକିତ୍ସାଧିନ ଥିବାବେଳେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଜଗା-ବଳିଆଙ୍କ ସୁସ୍ଥ ହେବାର ସବୁ ମୁହୂର୍ତକୁ ଭିଡିଓରେ ସେୟାର କରୁଛି ଦିଲ୍ଲୀ ଏମ୍ସ । ଜଗା-ବଳିଆଙ୍କ ସୁସ୍ଥ ହେବା ଖବର ଓଡ଼ିଶାବାସୀଙ୍କ ମନରେ ମଧ୍ୟ ଖୁସି ଭରି ଦେଉଛି ।