କନକ ବ୍ୟୁରୋ: ଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମାମଲାରେ ସଂସଦର ସ୍ଥାୟୀ ସମିତି ସୋମବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ସୁପାରିଶ କରିଛି । ଦିଲ୍ଲୀ ଏମ୍ସର ପୁର୍ନବିକାଶ ପାଇଁ ମାଷ୍ଟରପ୍ଲାନକୁ ତୁରନ୍ତ ମଞ୍ଜୁରୀ ଦେବାକୁ ଏଥିରେ କୁହାଯାଇଛି । ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ନିର୍ଦ୍ଦେଶ ମୁତାବକ, ଏମ୍ସ ପୁର୍ନବିକାଶ ଯୋଜନାରେ ଏମ୍ସରେ ୫୦ ନୂଆ ଅପରେସନ୍ ଥିଏଟର ପ୍ରସ୍ତୁତ କରାଯିବ । ତା ସହିତ ୩ ଶହ ଜରୁରୀକାଳୀନ ବେଡ୍ ସହିତ ୩ ହଜାରରୁ ଅଧିକ ଅତିରିକ୍ତ ପେସେଣ୍ଟ କେୟାର ବେଡ୍ ପ୍ରସ୍ତୁତ କରାଯିବ ।

Advertisment

ସମିତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଛି ଯେ, ତୁରନ୍ତ ଦିଲ୍ଲୀ ଏମ୍ସର ମାଷ୍ଟର ପ୍ଲାନକୁ ମଞ୍ଜୁରୀ ଦିଆଯାଉ । ଯାହା ଫଳରେ ୨୦୨୪ ସୁଦ୍ଧା ଏମ୍ସକୁ ବିଶ୍ୱସ୍ତରୀୟ ମେଡିକାଲ ସଂସ୍ଥା ଭାବେ ବିକଶିତ କରାଯାଇପାରିବ ।

ଏହା ପୂର୍ବରୁ ଅଗଷ୍ଟ ୧୫ ତାରିଖରେ ଡକ୍ଟର ଗୁଲେରିଆ ଏମ୍ସ ପୁର୍ନବିକାଶର ମାଷ୍ଟର ପ୍ଲାନ ବିଷୟରେ ସୂଚନା ଦେଇ କହିଥିଲେ ଯେ, ଦିଲ୍ଲୀ ଏମ୍ସ ବିଶ୍ୱସ୍ତରୀୟ ମେଡିକାଲ ୟୁନିଭର୍ସିଟି ଭାବେ ପରିବର୍ତ୍ତିତ ହେବ । ଯେଉଁଥିରେ ୫୦ ନୂଆ ଅପରେସନ୍ ଥିଏଟର ଓ ୩ ହଜାରରୁ ଅଧିକ ପେସେଣ୍ଟ କେୟାର ବେଡ୍ ପ୍ରସ୍ତୁତ କରାଯିବ ।

ତେବେ ଏହି ପରିଯୋଜନାରେ ରିସର୍ଚ୍ଚ ଲ୍ୟାବ, କ୍ଲିନିକାଲ ଟ୍ରାଏଲ ଫାସିଲିଟି, ୪ ହଜାର ହଷ୍ଟେଲ ୟୁନିଟ୍ ଓ ବଡ ଆକାରରେ ପାର୍କିଂ ସୁବିଧା ପ୍ରସ୍ତୁତ କରାଯିବ । ଡାକ୍ତର ଗୁଲେରିଆଙ୍କ କହିବା ମୁତାବିକ ଏହି ବିସ୍ତୃତ ପରିଯୋଜନାର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯାଇ ସାରିଛି ।