କନକ ବ୍ୟୁରୋ: ମଝି ଆକାଶରେ ହେଲା ହାର୍ଟ ସର୍ଜରୀ । ଉଡନ୍ତା ବିମାନରେ ବଞ୍ଚିଲା କୁନି ଝିଅର ଜୀବନ । ରବିବାର ସନ୍ଧ୍ୟାରେ ଭିସ୍ତାରା ଏୟାରଲାଇନ୍ସର ଏକ ବିମାନ ବେଙ୍ଗାଳୁରୁରୁ ଦିଲ୍ଲୀ ଯାଉଥିଲା । ଆଉ ଏହି ବିମାନରେ ୫ ଜଣ ଡାକ୍ତର ଏମିତି କିଛି କରିସ୍ମା କରି ଦେଖାଇଛନ୍ତି, ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଅସଲ କଥା ହେଉଛି, ବିମାନରେ ଯାଉଥିବାବେଳେ, ହଠାତ୍ ଗୋଟିଏ କୁନି ଝିଅର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା । ଆଉ ଫ୍ଲାଇଟର କର୍ମଚାରୀମାନେ ଏନେଇ ଜରୁରୀ ଫୋନ୍ କରି ଯାତ୍ରୀମାନଙ୍କୁ ସୂଚନା ଦେଇଥିଲେ । ହେଲେ ସୌଭାଗ୍ୟବଶତଃ ଏହି ବିମାନରେ ଦିଲ୍ଲୀ ଏମ୍ସର ୫ ଜଣ ଡାକ୍ତର ଯାତ୍ରା କରୁଥିଲେ । ଯିଏକି କୁନି ଝିଅର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଜାଣିବା ପରେ, ତୁରନ୍ତ ତା ପାଖରେ ପହଞ୍ଚି ତା ଚିକିତ୍ସା ଆରମ୍ଭ କରିଥିଲେ ।

ମିଳିଥିବା ସୂଚନା ମୁତାବକ ଡାକ୍ତରମାନେ ଜାଣିବାକୁ ପାଇଥିଲେ ଯେ, ଶିଶୁଟି ସିୟାନୋଟିକ୍ ରୋଗରେ ପୀଡିତ । ଯେଉଁ କାରଣରୁ ବିମାନଯାତ୍ରା ସମୟରେ ତା ଦେହ ଅସୁସ୍ଥ ହେଇଥିଲା । ଏଥିସହିତ ଶିଶୁଟିର ହାତ-ଗୋଡ ମଧ୍ୟ ଥଣ୍ଡା ପଡିବାକୁ ଲାଗିଥିଲା । ଏହାପରେ ତୁରନ୍ତ ଶିଶୁଟିକୁ ଡାକ୍ତରମାନେ ସିପିଆର୍ ଦେବା ଆରମ୍ଭ କରିଥିଲେ । ସୀମିତ ସଂଶାଧନ ଭିତରେ ଡାକ୍ତରମାନେ ଶିଶୁଟିର ହାର୍ଟ ସର୍ଜରୀ କରିବା ସହିତ ଜୀବନକୁ ବଞ୍ଚାଇବାରେ ସଫଳ ହେଇଥିଲେ ।

ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ବିମାନକୁ ନାଗପୁରରେ ଲ୍ୟାଣ୍ଡ କରାଯାଇଥିଲା । ସେଠାରେ ପୂର୍ବରୁ ଆମ୍ବୁଲାନ୍ସ ପ୍ରସ୍ତୁତ ହେଇ ଥିବାବେଳେ, ଶିଶୁଟିର ଚିକିତ୍ସା ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡିଛି । ଜାଣିରଖିବା ଉଚିତ୍ ଯେ, ସିୟାନୋଟିକ୍ ରୋଗ ହେଉଛି ଏକ ଜନ୍ମଜାତ ରୋଗ । ଏହି ରୋଗରେ ରୋଗୀ ସଠିକ୍ ଚିକିତ୍ସା ନମିଳିଲେ ମୃତ୍ୟୁବରଣ କରିଥାଏ । ହେଲେ ମଝି ଆକାଶରେ ଏହି ୫ ଜଣ ଡାକ୍ତର ଶିଶୁଟିର ଜୀବନ ବଞ୍ଚାଇବା ପରେ ଦିଲ୍ଲୀ ଏମ୍ସ ପକ୍ଷରୁ ଫଟୋ ସେୟାର କରି ଏନେଇ ସୂଚନା ଦିଆଯାଇଛି ।