ମମତାଙ୍କୁ ୪୮ ଘଂଟାର ଅଲଟିମେଟମ ଦେଲେ ଏମ୍ସ ଡାକ୍ତର : ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତାବାଦ ଜାରି ରଖିବାକୁ ଚେତାବନୀ

124

କନକ ବ୍ୟୁରୋ : ତେଜୁଛି ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନ । ଏହି ଆନ୍ଦୋଳନକୁ ସମର୍ଥନ କରି ମମତାଙ୍କୁ ୪୮ ଘଂଟାର ଅଲଟିମେଟମ ଦେଇଛନ୍ତି ଏମ୍ସ ରେସିଡେଂଟ ଡାକ୍ତର । ୪୮ ଘଂଟା ଭିତରେ ଡାକ୍ତରଙ୍କ ଦାବି ପୂରଣ ନକଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବେ ବୋଲି ଚେତାବନୀ ଦେଇଛନ୍ତି । ସୁରକ୍ଷା ଦାବିରେ ପାଂଚ ଦିନ ହେବ ଆନ୍ଦୋଳନ କରୁଛନ୍ତି ପଶ୍ଚିମବଙ୍ଗର ଜୁନିୟର ଡାକ୍ତର ସାରା ଦେଶକୁ ବ୍ୟାପିବାରେ ଲାଗିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ନିଆଁ ।

ପଶ୍ଚିମବଙ୍ଗ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ଓଡିଶା ସମେତ ଦିଲ୍ଲୀ, ମୁମ୍ବାଇ, ନାଗପୁର, ପାଟନା, ହାଇଦ୍ରାବାଦ, ବାରାଣସୀ, କର୍ଣ୍ଣାଟକ ଓ ଛତିଶଗଡରେ ରାସ୍ତାକୁ ଓହ୍ଲାଇଛନ୍ତି ଡାକ୍ତର । କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ଦାବି କରି ମୁଣ୍ଡରେ ପଟି ବାନ୍ଧି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଡାକ୍ତରଙ୍କ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୋଦଗାର ଓ ଆକ୍ରୋଶମୂଳକ କାର୍ଯ୍ୟ ପ୍ରତିବାଦରେ ୭୦୦ରୁ ଅଧିକ ଡାକ୍ତର ନିଜ ପଦରୁ ଇସ୍ତଫା ଦେଇଛନ୍ତି ।