ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ପଖାଳ ଗବେଷଣା । ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । କରୋନାର ମୁକାବିଲା ବି କରିପାରିବ ବାସି ପଖାଳରୁ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତି ।

410

କନକ ବ୍ୟୁରୋ: ପଖାଳ ସହ ପ୍ରତ୍ୟେକ ଓଡି଼ଆଙ୍କର ରହିଛି ପୁରୁଣା ସଂପର୍କ । ଏହା ହେଉଛି ଓଡ଼ିଶାର ପାରମ୍ପରିକ ଖାଦ୍ୟ । ଗରିବ ହେଉ କି ଧନୀ ପଖାଳ କଂସା ସହିତ ରହିଛି ସମସ୍ତଙ୍କର ନିବିଡ଼ ସଂପର୍କ । ଆଉ ସେହି ପଖାଳ ସଂପର୍କରେ ଏମିତି କିଛି ତଥ୍ୟ ଆସିଛି, ଯାହା ଓଡ଼ିଶାର ଲୋକଙ୍କ ପଖାଳ ଖିଆ ଅଭ୍ୟାସକୁ ଆହୁରି ଉତ୍ସାହିତ କରିବ ।

ପଖାଳ ବଢ଼ାଏ ପ୍ରତିରୋଧକ ଶକ୍ତି ଆଉ ରୋଗ ସହ ଲଢ଼ିବାରେ ସହାୟକ ହୁଏ ବାସି ତୋରାଣି ।  ଏମ୍ସ  ଡାକ୍ତରଙ୍କ ଗବେଷଣାରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ।  ଭୁବନେଶ୍ୱର ଏମସର ଆଡିସିନାଲ ପ୍ରଫେସର ଡାକ୍ତର ବାଲମୁରଗାନ୍ ରାମଦାସ ଗବେଷଣା କରି ଏହି କଥା କହିଛନ୍ତି ।

ସେ କହିଛନ୍ତି, ବାସି ପଖାଳରେ ରୋଗ ପ୍ରତିରୋଧକ ଶକ୍ତି ରହିଛି । ଶରୀରରେ  ରୋଗ ସହ ଲଢେଇ  କରିବାରେ ଏହା ସହାୟତା କରିଥାଏ । ତେବେ ହୋଟେଲରେ ପରଷା ଯାଉଥିବା ପଖାଳ ନୁହେଁ ବରଂ ଘରେ ରାତିରେ ପ୍ରସ୍ତୁତ କରାଯାଇଥିବା ପଖାଳ, ଶରୀର ପାଇଁ ଅଧିକ ହିତକର ବୋଲି ଗବେଷଣାରୁ ଜଣାପଡିଛି । ରାତିରେ ଭାତକୁ ପଖାଳିବା ଦ୍ୱାରା କିଛି ସମୟ ପରେ ଲାକ୍ଟୋ-ବାସିଲସ ନାମକ ଜୀବାଣୁ ସୃଷ୍ଟି ହୋଇଥାଏ । ଯାହା ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ ।

ପଖାଳରେ ପ୍ରଚୁର ପରିମାଣରେ ରହିଛି ଭିଟାମିନ-ବି ୧୨, ଭିଟାମିନ-କେ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ପଖାଳ ନମୁନା ସଂଗ୍ରହ କରାଯାଇ ଗବେଷଣା କରାଯିବା ପରେ ଏହାର ଉପକାରିତା ନେଇ ତଥ୍ୟ ସାମ୍ନାକୁ ଆସିଛି । ।  ଡାକ୍ତର ବାଲମୁର୍ଗନ୍ ରାମଦାସଙ୍କ ନେତୃତ୍ୱରେ ୮ ଜଣିଆ ଡାକ୍ତରୀ ଟିମ୍ ଏ ନେଇ ଗବେଷଣା କରିଥିଲେ । ଜଣେ ଦିନକୁ ଅଧ ଲିଟର ବା ୫ ଶହ ମିଲିଲିଟର ତୋରାଣି ପିଇଲେ, ଏହା ଶରୀର ପାଇଁ ହିତକର ବୋଲି  ଗବେଷଣାରୁ ଜଣାପଡିଛି । କରୋନା ବିରୋଧୀ ଲଢ଼େଇ ପାଇଁ ମଧ୍ୟ ପଖାଳ ଲାଭଦାୟକ ହୋଇପାରେ । ତେବେ ଏ ନେଇ ଅଧିକ ଗବେଷଣା ଜାରି ରହିଛି । ସାଧାରଣ ଲୋକଙ୍କ ପାଇଁ ପଖାଳ ସହଜରେ ଉପଲବ୍ଧ ହେଉଥିବାରୁ ଏଭଳି ତଥ୍ୟ ଓଡ଼ିଶାବାସୀ ପାଇଁ  ଆଶ୍ୱସ୍ତି ଆଣିଛି ।