ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ୱର ଏମ୍ସ : ଡାକ୍ତର ଗୀତାଞ୍ଜଳି ବି. କହିଲେ, ଶିଶୁଙ୍କ ପାଇଁ ପ୍ରସ୍ତୁତ ରଖାଯାଇଛି ୭ଟି ଆଇସିୟୁ

171

କନକ ବ୍ୟୁରୋ : କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ୱର ଏମ୍ସ । ଶିଶୁଙ୍କ ପାଇଁ ୨ଟି ୱାର୍ଡରେ ୬୦ଟି ବେଡ଼ ସହ ୭ଟି ଆଇସିୟୁ ପ୍ରସ୍ତୁତ ରଖାଯାଇଛି । ଯଦି ଆବଶ୍ୟକ ହୁଏ ଆଗକୁ ବଢିପାରେ ଆଇସିୟୁ ସଂଖ୍ୟା ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳି ବି. । ଶିଶୁଙ୍କ ପାଇଁ ସମସ୍ତ ମେଡ଼ିସିନ ମହଜୁଦ ଥିବା ସହ ଡାକ୍ତର ଓ ନର୍ସଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।

ମହାମାରୀର ତୃତୀୟ ଲହର ୧୮ ବର୍ଷରୁ କମ ପିଲାଙ୍କୁ ଅଧିକ ହେବାର ସମ୍ଭାବନା ଥିବାରୁ ଅଧିକ ଚ୍ୟାଲେଞ୍ଜ ରହିଛି । ତଥାପି ଭୁବନେଶ୍ୱର ଏମ୍ସ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଯଦି କୌଣସି ଶିଶୁ କୋଭିଡ ପଜିଟିଭ ହୋଇ ଏମ୍ସରେ ଭର୍ତ୍ତି ହୁଅନ୍ତି ତାଙ୍କ ସହ ତାଙ୍କ ପରିବାରର ଜଣକୁ ରହିବା ପାଇଁ ଅନୁମତି ମଧ୍ୟ ଦିଆଯିବ । ଦୁଇଟି ଇକମୋ ମେସିନ ମଧ୍ୟ ରହିଛି । ଆବଶ୍ୟକ ପଡ଼ିଲେ ତାକୁ ମଧ୍ୟ ବ୍ୟବହାର କରାଯିବ ।

ସେପଟେ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଲେ ଦ୍ୱିତୀୟ ଲହର ସଂଖ୍ୟାକୁ ଦୃଷ୍ଟିରେ ରଖି ତୃତୀୟ ଲହର ପାଇଁ ପ୍ରସ୍ତୁତି କରାଯାଉଛି । ତୃତୀୟ ଲହର ୬୦୦ ବେଡ଼ ଆବଶ୍ୟକ ପଡିପାରେ କିନ୍ତୁ ୩୦୦୦ ବେଡ଼ ପାଇଁ ସରକାର ପ୍ରସ୍ତୁତ ହୋଇଛନ୍ତି । କାପାସିଟି ବଢ଼େଇବା ବନ୍ଦୋବସ୍ତ ହେଉଛି । ଆଇସିୟୁ, ଅକ୍ସିଜେନ ବେଡ଼, ଜିଲ୍ଲାରେ ଟେଷ୍ଟିଂ କାପାସିଟି, ଅକ୍ସିଜେନ ଇକୋସିଷ୍ଟମ ସବୁ ବଢ଼େଇବା ପାଇଁ ବ୍ୟବସ୍ଥା କରାଯାଉଛି । ସବୁ ଜିଲ୍ଲାରେ ଅକ୍ସିଜେନ ପ୍ଲାନ ବସେଇବା କାର୍ଯ୍ୟ ଚାଲିଛି ।