ରେମୁଣା ସଭାରୁ ମୋଦିଙ୍କୁ ରାହୁଲଙ୍କ ସିଧା ନିଶାନା । କହିଲେ, ପ୍ରତି ଆକାଉଣ୍ଟକୁ ୧୫ ଲକ୍ଷ ଆଉ ବେରୋଜଗାରୀକୁ ନେଇ କାହିଁକି ଚୁପ୍ ବସିଛନ୍ତି ମୋଦି ?

209

କନକ ବ୍ୟୁରୋ: ରାହୁଲଙ୍କ ନିଶାନାରେ ମୋଦି । ବାଲେଶ୍ୱର ରେମୁଣାରେ ଆୟୋଜିତ କଂଗ୍ରେସ ପରିବର୍ତ୍ତନ ସଂକଳ୍ପ ସମାବେଶରେ ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ହାଇକମାଣ୍ଡ । କହିଲେ, ବିଗତ ୫ ବର୍ଷ ମୋଦି ସରକାରଙ୍କ ଶାସନରେ ଦେଶରେ ବେରୋଜଗାରୀ ୪୫ ବର୍ଷର ରେକର୍ଡ଼ ଭାଙ୍ଗିଲା । କିନ୍ତୁ ଏ ବିଷୟରେ ମୁହଁ ଖୋଲୁ ନାହାନ୍ତି ଚୌକିଦାର । ଏପରିକି ବିମୂଦ୍ରାୟନ ସମୟରେ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି ୧୫ ଲକ୍ଷ ଟଙ୍କା ପ୍ରତି ବ୍ୟାଙ୍କ ଆକାଉଣ୍ଟକୁ ମିଳିବ । ହେଲେ ସେ ଟଙ୍କା ଏବେ କୁଆଡ଼େ ଗଲା ତାହାର ଜବାବ ଦେଉ ନାହାନ୍ତି ମୋଦି ବୋଲି କଡ଼ା ସମାଲୋଚନା କରିଛନ୍ତି ରାହୁଲ ।

ଅନ୍ୟପଟେ ମୋଦି ଯୁଆଡ଼େ ଯାଉଛନ୍ତି ଖାଲି ବିକାଶ କରିବୁ ଏକ ନମ୍ବର କରିବୁ ନାରା ଦେଉଛନ୍ତି କିନ୍ତୁ ପ୍ରତି ଆକାଉଣ୍ଟକୁ ୧୫ ଲକ୍ଷ ଆଉ ବେରୋଜଗାରୀ ଏହି ଦୁଇଟି ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ । ଏହାର କାରଣ ବିମୂଦ୍ରାୟନରେ ତାଙ୍କ ବନ୍ଧୁ ଅମ୍ବାନୀଙ୍କ ଭଳି ଅନେକ ଧନୀ ଲୋକଙ୍କ ପକେଟ୍ ମାଲାମାଲ୍ କରି ଉତ୍ତର ଦେବାକୁ ଡରୁଛନ୍ତି ମୋଦି ବୋଲି କଟାକ୍ଷ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ମୋଦିଙ୍କ ମୁଖ୍ୟ ଏଜେଣ୍ଡା କେବଳ ଭ୍ରଷ୍ଟାଚାର ଓ ବେରୋଜଗାରୀ ବୋଲି ସମାଲୋଚନା କରିଛନ୍ତି ରାହୁଲ ।

ସେପଟେ ଆସନ୍ତା ୨୯ ତାରିଖରେ ହେବାକୁଥିବା ଶେଷ ଲଢ଼େଇ ପାଇଁ ହାତରେ ଆଉ ଗୋଟିଏ ଦିନ ବାକି ରହିଛି । ତେଣୁ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରି ଜନ ସମର୍ଥନ ପାଇଁ ଗୋଟି ଚାଳନା କରୁଛନ୍ତି । ତେବେ ବାଲେଶ୍ୱର ରେମୁଣା ପ୍ରଚାଚ ମୈଦାନରୁ ମୋଦିଙ୍କୁ ରାହୁଲଙ୍କ କଡ଼ା ପ୍ରହାର ବିଜେପି ଶିବିରରେ ଛନକା ଭରିଥିବା ଚର୍ଚ୍ଚା ହେଉଛି । କାରଣ ଗୋଟିଏପଟେ ମୋଦି ବେରୋଜଗାରୀ ନେଇ ମୁହଁ ଖୋଲୁନଥିବାବେଳେ ରାହୁଲଙ୍କ ଶାଣିତ ସ୍ୱର ବିଜେପିକୁ ଘାଟା କରିପାରେ ବୋଲି ବିଭିନ୍ନ ମହଲରେ ଶୁଣିବାକୁ ମିଳୁଛି ।