କଥା ଦେଇ କଥା ରଖିଲାନି କଂଗ୍ରେସ । ଜି.ଉଦୟଗିରିରେ କଟିଲା ବିଧାୟକ ଯାକବଙ୍କ ଟିକେଟ୍ ।

146

କନକ ବ୍ୟୁରୋ: ଜି.ଉଦୟଗିରି କଂଗ୍ରେସ ବିଧାୟକ ଯାକବ ପ୍ରଧାନଙ୍କ ଟିକେଟ୍ କାଟିଲା କଂଗ୍ରେସ । କିଛି ସମୟ ପୂର୍ବେ ଘୋଷଣା ହୋଇଥିବା କଂଗ୍ରେସ ବିଧାନସଭା ପ୍ରାର୍ଥୀ ତାଲିକାରେ ଜି.ଉଦୟଗିରି କଂଗ୍ରେସ ବିଧାୟକଙ୍କୁ ଟିକେଟ୍ ନଦେଇ ସ୍ଥାନୀୟ କଂଗ୍ରେସ ନେତା ଶ୍ୟାମଘନ ପ୍ରଧାନଙ୍କୁ ଟିକେଟ୍ ଦେଇଛି ଦଳ । ତେବେ ୨୦୧୪ରେ କଂଗ୍ରେସ ପାଇଁ ବିଜୟ ଆଣିଥିବା ଯାକବଙ୍କୁ ଟିକେଟ୍ ରେସରୁ ବାଦ୍ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ।

ଘନଶ୍ୟାମ ପ୍ରଧାନ କଂଗ୍ରେସ ବିଧାନସଭା ପ୍ରାର୍ଥୀ. ଜି.ଉଦୟଗିରି

ଗତ ୨୦୧୪ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଯାକବ ପ୍ରଧାନ ବିଜୟୀ ହୋଇଥିଲେ । କିନ୍ତୁ ଏହାପରେ ଅଭିଯୋଗ ହୋଇଥିଲା ଯେ ଛାମୁଆ କଂଗ୍ରେସ ନେତା ଓ କର୍ମୀଙ୍କ ସହିତ ସୁ-ସମ୍ପର୍କ ନାହିଁ । ଏପରିକି କୌଣସି କାମରେ ସେମାନଙ୍କ ସହଯୋଗ ଲୋଡିଲେ ନାହିଁ । ନିକଟରେ ରାଜ୍ୟ କଂଗ୍ରେସ ଭବନଠାରେ ସ୍କ୍ରିନିଂ କମିଟି ଆଗରେ ନିର୍ବାଚନମଣ୍ଡଳୀର ଦଳୀୟ ନେତା ଓ କର୍ମୀମାନେ ଖୋଲାଖୋଲି ଭାବେ ବିଧାୟକ ଯାକବଙ୍କ ବିରୋଧରେ ନାରାବାଜି କରିବା ଦଳ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ଯାହାର ପ୍ରତିଫଳନ ଯାକବଙ୍କୁ ଆଗାମୀ ନିର୍ବାଚନରେ ଟିକେଟ ରେସରୁ ବାଦ୍ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ବୋଲି କଂଗ୍ରେସ ଶିବିରରେ ଶୁଣିବାକୁ ମିଳୁଛି ।

ଅନ୍ୟପଟେ ପୂର୍ବରୁ କୌଣସି ବିଧାୟକଙ୍କ ଟିକେଟ୍ କଂଗ୍ରେସ କାଟିବ ନାହିଁ ବୋଲି କହିଥିଲା । ତେବେ ବର୍ତ୍ତମାନ ବିଧାୟକ ଯାକବଙ୍କ ଟିକେଟ୍ କାଟିବା ପରେ ବର୍ତ୍ତମାନ କଂଗ୍ରେସ ଦେଇଥିବା କଥାକୁ ନେଇ ଯାକବଙ୍କ ସମର୍ଥକମାନେ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଟିକେଟ ଘୋଷଣା ପୂର୍ବରୁ ଯାକବ କହିଥିଲେ କି ଟିକେଟ ଦେବା ନଦେବା ପାର୍ଟିର କାମ । ମୋ ଲୋକେ ମୋ ସହ ସବୁବେଳେ ଅଛନ୍ତି । ସ୍ୱାଧୀନ ଭାବରେ ଲଢିବାକୁ ପ୍ରସ୍ତୁତ । ଆସନ୍ତାକାଲି ମୁଁ ନାମାଙ୍କନ ଦାଖଲ କରିବି ଏବଂ ନିଶ୍ଚୟ ଜିତିବି । ଦଳ ଟିକେଟ ନଦେଲେ ବି ଲଢିବି ବୋଲି କହିଥିଲେ ଯାକବ ।