କନକ ବ୍ୟୁରୋ: ଛାତ୍ର ସଭାପତି ବାଛିଲା କଂଗ୍ରେସ । ଓଡିଶା ସମେତ ୯ଟି ରାଜ୍ୟ ପାଇଁ ଛାତ୍ର ସଭାପତିଙ୍କ ନାଁ ଘୋଷଣା କରିଛି ଏଆଇସିସି । ଉଦିତ୍ ନାରାୟଣ ପ୍ରଧାନଙ୍କୁ ଓଡିଶା ଛାତ୍ର କଂଗ୍ରେସର ସଭାପତି ଭାବେ ନିଯୁକ୍ତ କରାଯାଇଛି । ଯେଉଁ ପଦରେ ପୂର୍ବରୁ ୟାସିର୍ ନଓ୍ୱାଜ ରହିଥିଲେ । ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଓଡିଶାର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲା ଏଆଇସିସି । ଆଉ ଏହାପରେ ପ୍ରଥମ ଥର ପାଇଁ ଛାତ୍ର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା ହେଇଛି ।

ସୂଚନାଯୋଗ୍ୟ ଯେ, ପିସିସି ଭାଙ୍ଗିବା ପରେ ଏପର୍ଯ୍ୟନ୍ତ କେଉଁ ନେତା ଓଡିଶାରେ କଂଗ୍ରେସର କମାଣ ସମ୍ଭାଳିବେ ତାହା ଆଜି ପର୍ଯ୍ୟନ୍ତ ସ୍ଥିର ହେଇପାରିନି । ଦିଲ୍ଲୀରେ ଏନେଇ ମାନସମନ୍ଥନ ଚାଲିଥିବାବେଳେ, ନେତାମାନେ ମଧ୍ୟ ନିଜ ନିଜର ଲବି ଚଲାଇଛନ୍ତି । ହେଲେ ଏହାରି ଭିତରେ ଛାତ୍ର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା ହେଇଛି । ଆଉ କୁହାଯାଉଛି ଯେ, ଖୁବଶୀଘ୍ର ପ୍ରଦେଶ ସଭାପତିଙ୍କ ନାମ ମଧ୍ୟ ଘୋଷଣା ହେଇପାରେ ।