ଭାଙ୍ଗିଗଲା ସ୍ୱପ୍ନ, ଅଧାରେ ରହିଗଲା ବିଧାୟକଙ୍କ ବାହାଘର । ଏଭଳି ଏକ ଘଟଣା ତାମିଲନାଡୁରେ ଦେଖିବାକୁ ମିଳିଛି । ଏଆଇଏଡିଏମକେ ତଥା ଶାସକ ଦଳର ବିଧାୟକ ଏସ୍ ଇଶ୍ୱରନ ବାହା ହେବାକୁ ଯାଇ ହଟାହଟା ହୋଇଛନ୍ତି । ଯାହା ତାମିଲନାଡୁ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ବିଧାୟକଙ୍କ ସହ ଯେଉଁ ଯୁବତୀଙ୍କ ବାହାଘର ଠିକ୍ ହୋଇଥିଲା ସେ ବାହାଘର ପୂର୍ବରୁ ଫେରାର ହୋଇଯିବାରୁ ଏଭଳି ଦୁର୍ଦ୍ଦଶା ଭୋଗିଛନ୍ତି ଇଶ୍ୱରନ ।
Kanak News is now on WhatsApp
Join and get latest news updates delivered to you via WhatsApp
ଘଟଣା ଅନୁଯାୟୀ, ଭବାନୀସାଗରର ୪୩ ବର୍ଷୀୟ ବିଧାୟକ ଏସ୍ ଇଶ୍ୱରନଙ୍କ ବିବାହ ଉକର୍ଣ୍ଣର ୨୩ ବର୍ଷୀୟ ଆର ସନ୍ଧ୍ୟାଙ୍କ ସହ ସ୍ଥିର ହୋଇଥିଲା । ଆଗାମୀ ୧୨ ତାରିଖରେ ଏହି ବିବାହ ଅନୁଷ୍ଠିତ ହୋଇଥାନ୍ତା । ଏଥିପାଇଁ ଉଭୟ ପରିବାରର ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଏପରିକି ବାହାଘର ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଥିଲେ ଉଭୟଙ୍କ ପରିବାର । ଶାସକ ଦଳର ବିଧାୟକ ହୋଇଥିବାରୁ ଏହି ବିବାହ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀ ମାନେ ସହମତି ଦେଇଥିଲେ ।
କିନ୍ତୁ ବିବାହକୁ ମାତ୍ର ୮ ଦିନ ବାକି ଥିବା ବେଳେ ବିଧାୟକଙ୍କୁ ଲାଗିଥିଲା ଏକ ବଡ ଝଟକା । ବିଧାୟକଙ୍କ ସହ ଯେଉଁ ଏମସିଏ ଗ୍ରାଜୁଏଟ ଯୁବତୀଙ୍କ ବିବାହ ଠିକ୍ ହୋଇଥିଲା ସେ ହଠାତ କେଉଁଆଡେ ଗାଏବ ହୋଇଯାଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯୁବତୀ ଜଣକ ତାଙ୍କ ବୟଫ୍ରେଣ୍ଡ ସହ ଫେରାର ହୋଇଯାଇଛନ୍ତି । ଏପରିକି ଅନ୍ୟ ଗଣମାଧ୍ୟମ ଅନୁଯାୟୀ, ବିଧାୟକ ଓ ଯୁବତୀଙ୍କ ବୟସ ମଧ୍ୟରେ ବଡ ଅନ୍ତର ଥିବାରୁ ଆର୍ ସନ୍ଧ୍ୟା ଖୁସି ନଥିଲେ ।
ଆଉ ଏହି ଘଟଣା ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ବିଧାୟକ ମଧ୍ୟ ସେଠାରେ ବାହା ହେବେନି ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଯୁବତୀଙ୍କ ନିଖୋଜ ଘଟଣା ନେଇ ତାଙ୍କ ମା’ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ, ଶନିବାର ୧୧ଟା ସମୟରେ ଯୁବତୀ ଜଣକ ନିଜ ଭଉଣୀ ଘରକୁ ଯିବାକୁ କହି ଘରୁ ବାହାରି ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଭଉଣୀ ଘରେ ନ ପହଞ୍ଚିବାରୁ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ । ଏପରିକି ନିଖୋଜ ହେବା ପରେ ଯୁବତୀଙ୍କ ଫୋନ ମଧ୍ୟ ବନ୍ଦ ରହିଛି । ବିବାହ ପୂର୍ବରୁ ଝିଅ ଫେରାର ହେବାର ଅନେକ ନଜିର ରହିଛି କିନ୍ତୁ ବିଧାୟକଙ୍କ ବିବାହ ପୂର୍ବରୁ ଯୁବତୀ ଜଣକ ଫେରାର ହୋଇଯିବା ଏବେ ତାମିଲନାଡୁରେ ଚର୍ଚ୍ଚାର ବିଷୟ ପାଲଟିଛି ।