କନକ ବ୍ୟୁରୋ : ଏଆଇ କ୍ୟାମେରାରେ ଧରାପଡ଼ିଲା ମାଟ୍ରିକ୍ ପରୀକ୍ଷାରେ ତ୍ରୁଟି । ଧରାପଡ଼ିଲା ୭ଟି ସ୍କୁଲର ପରୀକ୍ଷା କେନ୍ଦ୍ରର ବିଭ୍ରାଟ । ଭଦ୍ରକ, ଯାଜପୁର, କେନ୍ଦୁଝର, ଗଜପତି, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ଦେଖିବାକୁ ମିଳିଛି । ଗତକାଲି ଇଂରାଜୀ ପରୀକ୍ଷା ଥିବା ବେଳେ ତ୍ରୁଟି ଧରିଛି ଏଆଇ । ଫଳରେ କେନ୍ଦୁଝର ସାହାରପଡା ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ବଦଳି କରାଯାଇଛି ।
ଭଦ୍ରକ ମଦନ ମୋହନଜୀଉ ନୋଡାଲ ହାଇସ୍କୁଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଛି । ଯାଜପୁର ଗୋବିନ୍ଦଚନ୍ଦ୍ର ହାଇସ୍କୁଲରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ସେହିପରି କେନ୍ଦୁଝର ହାଟଡିହି ହାଇସ୍କୁଲର ୫ ନମ୍ବର ରୁମରେ ପରୀକ୍ଷାର୍ଥୀ ଏପଟ ସେପଟ ବୁଲୁଥିବା ଓ ନିଜ ନିଜ ମଧ୍ୟରେ କଥା ହେଉଥିବା ଦେଖିବାକୁ ମିଳିଥିଲା । ଭଦ୍ରକ ବନ୍ଧଗାଁରେ ପ୍ରଶ୍ନପତ୍ର ଗୁଡ଼ିକୁ ଲୁହା ବାକ୍ସରେ ରଖାଯାଇନଥିଲା । ପ୍ରଶ୍ନପତ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ୟାକେଟ ଗୁଡ଼ିକ ବାହାରେ ରହିଥିଲା । ଯାଜପୁରର ପଲାଇ ହାଇସ୍କୁଲରେ ପରୀକ୍ଷାର୍ଥୀମାନେ ପାଖରେ କିଛି ସନ୍ଦେହଜନକ ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଛି । ସେହିପରି ଆର. ଉଦୟଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନବରଙ୍ଗପୁର ଡାବୁଗାଁ ପରୀକ୍ଷା କେନ୍ଦ୍ରରେ ମଧ୍ୟ ବିଭ୍ରାଟ ଧରିଛି ଏଆଇ ।
ଅନ୍ୟପଟେ ଏଆଇ, ଲାଇଭ୍ ବ୍ୟବସ୍ଥା, ସିସି କ୍ୟାମେରା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ସତ୍ତେ୍ୱ ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ମାଟ୍ରିକ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ର ଓ ତାର ଉତ୍ତର ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସୋସିଆଲ ମିଡିଆରେ ଘୁରିବୁଲିଥିଲା । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପରୀକ୍ଷା ଆରମ୍ଭ ପୂର୍ବରୁ ଏଭଳି ପ୍ରଶ୍ନପତ୍ର ବୁଲିଥିବା ସୂଚନା ମିଳିଛି । କେଉଁଠୁ ଓ କିଭଳି ଏହି ବିଭ୍ରାଟ ଘଟିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୋର୍ଡ କର୍ତୃପକ୍ଷ କିନ୍ତୁ ଏଭଳି ଭାଇରାଲ ଘଟଣାକୁ ଅସ୍ୱୀକାର କରିଛନ୍ତି । ଦ୍ୱିତୀୟ ଦିନର ମାଟ୍ରିକ୍ ପରୀକ୍ଷା ଶୃଙ୍ଖଳିତ ଭାବେ ଶେଷ ହୋଇଥିବା ବେଳେ କେହି ଦୃବୁର୍ତ୍ତ ପରୀକ୍ଷା ପରିଚାଳନାରେ ବିଭ୍ରାଟ ପାଇଁ ଏଭଳି କାଣ୍ଡ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।