ବିଜେପି ଅଧ୍ୟକ୍ଷ ଓ କଂଗ୍ରେସ ଉପାଧ୍ୟକ୍ଷଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ : ରାହୁଲ କହିଲେ ବେଟି ବଚାଓ ସ୍ଥାନରେ ବେଟା ବଚାଓର ନିତି ଧରିଛି ବିଜେପି

44

କନକ ବ୍ୟୁରୋ : ୫୦ହଜାରରୁ ୮୦ କୋଟି । ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କ ଏହି ବାଣିଜ୍ୟ ନୀତିକୁ ନେଇ ଦ୍ୱଦ୍ୱରେ ବିଜେପି । ଏଯାଏ ଦଳ ପକ୍ଷରୁ ସ୍ପଷ୍ଟୀକରଣ ନ ମିଳିଥବାରୁ, ଦେଶବ୍ୟାପୀ ରାଜନୈତିକ ଟାର୍ଗେଟ ହେଉଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ । ଏ ସଂପର୍କରେ ଅମିତ ମୁହଁ ନ ଖୋଲିଥିଲେ ସୁଦ୍ଧା, ବିଜେପି ଏହାକୁ ଅମିତଙ୍କ ବିରୋଧରେ ବିରୋଧୀ ରାଜନୈତିକ ଦଳଙ୍କ ଭୟ ବୋଲି ଚିତ୍ରଣ କରିଛନ୍ତି । ଯେଉଁଠି କଂଗ୍ରେସ୍ ଘଟଣାର ତଦନ୍ତ ଦାବି କରିଛି, ବିଜେଡି ଅମିତଙ୍କ ନୀରବତାକୁ ପ୍ରଶ୍ନ କରିଛି ।

ଅମିତ ଶାହାଙ୍କୁ ବିଜେଡିର ପ୍ରଶ୍ନ :- ତିନି ବର୍ଷରେ ୫୦ହଜାରରୁ ୮୦ କୋଟି ଟର୍ଣ୍ଣଓଭରର ରହସ୍ୟ କଣ ? ବିମୁଦ୍ରାକରଣର ମାସେ ପୂର୍ବରୁ ଜୟଙ୍କ କଂପାନୀ ବନ୍ଦ ହେଲା କାହିଁକି ? ଜୟ ଶାହାଙ୍କୁ ଅନୈତିକ ଅନୁକମ୍ପା ଦିଆଯାଇଛି କି ? ମାସେ ତଳେ ବିଜେଡିକୁ ଦୁର୍ନୀତିଗ୍ରସ୍ତ କହି ଭୁବନେଶ୍ୱରରେ ଗର୍ଜନ କରୁଥିବା ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଏବେ ସ୍କାନରରେ । ତା ଛଡା ଯେଉଁ ବିଜୁ ଲେଗାସିକୁ ଟାର୍ଗେଟ କରି ନବୀନଙ୍କ ପରିବାରବାଦ ରାଜନୀତିକୁ ଆକ୍ଷେପ କରିଥିଲେ ଅମିତ, ସେଠାରେ ତାଙ୍କ ପୁଅଙ୍କ ସଂପତ୍ତି ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ସେପଟେ ରାହୁଲ ଗାନ୍ଧୀଙ୍କ ଗଡ ଅମେଠୀରେ ଏକ ବିଶାଳ ସଭାରେ କଂଗ୍ରେସ ବିରୋଧରେ ଗର୍ଜନ କରିଛନ୍ତି ଅମିତ । ହେଲେ ପୁଅଙ୍କ ଆୟ ବୃଦ୍ଧି ସଂପର୍କରେ ମୁହଁ ଖୋଲି ନଥିଲେ ଶାହା । ଯାହା ଏହି ଅଭିଯୋଗକୁ ଆହୁରି ସନ୍ଦେହ ଘେରକୁ ଟାଣିଛି ।