ରାସ୍ତାରେ ଚାଲୁଥିବା ଭୋକିଲା ଲୋକକୁ ଲୋନ୍ ନୁହେଁ ବରଂ ଟଙ୍କା ଦରକାର…ସରକାରଙ୍କୁ ମାଆ ଭଳି ବ୍ୟବହାର କରିବାକୁ ପଡିବ: ସ୍ୱତନ୍ତ୍ର ପ୍ୟାକେଜକୁ ନେଇ ମୋଦିଙ୍କୁ ରାହୁଲଙ୍କ ଟାଗେର୍ଟ

ପ୍ୟାକେଜ ନାଁରେ ସାହୁକାର ନସାଜନ୍ତୁ ସରକାର: ରାହୁଲ

672

କନକ ବ୍ୟୁରୋ: ତାଲାବନ୍ଦ କଟକଣା ସିନା କରୋନାର ପ୍ରକୋପକୁ କିଛି ମାତ୍ରାରେ ରୋକିବାରେ ସଫଳ ହୋଇଛି ହେଲେ ଦେଶରେ କରୋନା କଟକଣା ଆଣିଦେଇଛି ଆର୍ଥିକ ସଂକଟ । ତେବେ ଏଭଳି ପରିସ୍ଥିତିରେ ସରକାରଙ୍କ ସାମ୍ନାରେ ଚ୍ୟାଲେଂଜ ଭାବେ ଠିଆ ହୋଇଯାଇଛି କରୋନା ମହାମାରୀ ଏବଂ ଜାରି ହୋଇଥିବା ଲକଡାଉନ କଟକଣା ଯୋଗୁଁ ସୃଷ୍ଟି ହୋଇଥିବା ଲୋକଙ୍କ ଆର୍ଥିକ କ୍ଷତି । କିଛି ଦିନ ତଳେ ଦେଶବାସୀଙ୍କୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଯାହାକୁ ନେଇ ଆଜି କେନ୍ଦ୍ର ଘେରିଛନ୍ତି ରାହୁଲ ଗାନ୍ଧୀ ।

ତେବେ ସରକାରଙ୍କ ଏହି ୨୦ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଚାଷୀ, ବ୍ୟବସାୟୀ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଅନୁଉପଯୁକ୍ତ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ମିଳିଥିବା ଏହି ସରକାରୀ ସହାୟତା କୌଣସି ଋଣ ପ୍ୟାକେଜ ନହୋଇ ବରଂ ଚାଷୀ ଓ ପ୍ରବାସୀ ଶ୍ରମିକଙ୍କ ପକେଟକୁ ସିଧା ଟଙ୍କା ଯିବା ଉଚିତ । ରାହୁଲଙ୍କ କହିବା ଅନୁସାରେ, ରାସ୍ତାରେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକର ଋଣ ନୁହେଁ ବରଂ ଟଙ୍କାର ଆବଶ୍ୟକତା ରହିଛି । କାହିଁକି ନା ଯେତେବେଳେ ଗୋଟିଏ ପିଲା କାନ୍ଦେ ସେତେବେଳେ ତାର ମାଆ ତାକୁ ଲୋନ ଦେଇନଥାଏ ବରଂ ତାକୁ ତୁନି କରିବାକୁ ବାଟ ଖୋଜିଥାଏ । ତାକୁ ଖାଇବାକୁ ଦିଏ ।

ତେଣୁ ସରକାର ସାହୁକାର ନହୋଇ, ଗୋଟିଏ ମାଆ ଭଳି ବ୍ୟବହାର କରିବା ଉଚିତ । ତେବେ କରୋନା ପ୍ରଭାବିତ ଲୋକଙ୍କୁ ଋଣ ପରିବର୍ତ୍ତେ ସେମାନଙ୍କ ବ୍ୟାଙ୍କ ଖାତାକୁ ସରକାର ସିଧା ଟଙ୍କା ପଠାଇବାକୁ ଦାବି କରିଛନ୍ତି କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।