ମହାନିଲାମୀ ପୂର୍ବରୁ କାହାକୁ ବାଛିବ ଅହମ୍ମଦାବାଦ? ଚର୍ଚ୍ଚାରେ ପାଣ୍ଡ୍ୟା, ରସିଦ, ଶୁଭମନ ।

151

କନକ ବ୍ୟୁରୋ : ଆଇପିଏଲ ମହାନିଲାମୀ ପୂର୍ବରୁ ଚଳିତ ଥର ନୂଆକରି ସାମିଲ ହୋଇଥିବା ଦୁଇ ଟିମ୍ ଅହମ୍ମଦାବାଦ ଓ ଲକ୍ଷ୍ନୌ ନିଜ ମନ ପସନ୍ଦର ୩ ଖେଳାଳୀଙ୍କୁ ଦଳରେ ସାମିଲ କରିବେ । ଆଉ ବଡ ଚେହେରାଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ ରିଲିଜ କରିଥିବାରୁ ନୂଆ କରି ସାମିଲ ହୋଇଥିବା ଉଭୟ ଟିମ ପାଖରେ ଅନେକ ବିକଳ୍ପ ରହିଛି । ଆଉ ଏହି କ୍ରମରେ ମହାନିଲାମୀକୁ ଓହ୍ଲାଇବା ପୂର୍ବରୁ ଅହମ୍ମଦାବାଦ ଫ୍ରାଞ୍ଚାଇଜକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମହାନିଲାମୀକୁ ଯିବା ପୂର୍ବରୁ ଅହମ୍ମଦାବାଦ ୩ ଖେଳାଳୀଙ୍କ ତାଲିକା ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି ।

ହାର୍ଦ୍ଦିକ ପାଣ୍ଡ୍ୟା, ରସିଦ ଖାନ୍, ଶୁଭମାନ ଗିଲଙ୍କୁ ଅହମ୍ମଦାବାଦ ମହାନିଲାମୀ ପୂର୍ବରୁ ନିଜ ଟିମରେ ସାମିଲ କରିବାକୁ ସ୍ଥିର କରିଥିବା ଚର୍ଚ୍ଚା ହେଉଛି । ଉଭୟ ହାର୍ଦ୍ଦିକ ଓ ରସିଦ ଖାନଙ୍କୁ ୧୫ କୋଟି ଓ ଶୁଭମାନ ଗିଲଙ୍କୁ ୭ କୋଟି ଟଙ୍କାରେ ଟିମରେ ସାମିଲ କରିବାକୁ ଅହମ୍ମଦାବାଦ ପ୍ରସ୍ତୁତ ହେଉଥିବା କୁହାଯାଉଛି । ତେଣୁ ଏହି ୩ ଖେଳାଳୀଙ୍କ ପିଛା ୩୭ କୋଟି ଟଙ୍କା ଖର୍ଚ୍ଚ କରିବା ପରେ ଅହମ୍ମଦାବାଦ ଫ୍ରାଞ୍ଚାଇଜ ୫୩ କୋଟି ଟଙ୍କା ସହ ମହାନିଲାମୀକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଚଳିତଥର ମହାନିଲାମୀ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ, ସନରାଇଜର୍ସ ହାଇଦ୍ରାବାଦ ରସିଦ ଖାନଙ୍କୁ ଓ କୋଲକାତା ନାଇଟ ରାଇଡର୍ସ ଶୁଭମନ ଗିଲଙ୍କୁ ରିଲିଜ କରିଥିଲା । ତେଣୁ ଏହି ୩ ଷ୍ଟାର କ୍ରିକେଟରଙ୍କ ସହ ନୂଆ ଟିମର ପୁନାଦି ପକାଇବାକୁ ଅହମ୍ମଦାବାଦ ପ୍ରସ୍ତୁତ ହେଉଛି । ଯେହେତୁ ହାର୍ଦ୍ଦିକଙ୍କ ଘର ମଧ୍ୟ ଗୁଜୁରାଟରେ ତେଣୁ ସ୍ଥାନୀୟ କ୍ରିକେଟର ଭାବେ ଫ୍ୟାନ ମାନଙ୍କ ମଧ୍ୟରେ ହାର୍ଦ୍ଦିକଙ୍କର ଜବରଦସ୍ତ କ୍ରେଜ ରହିଛି । ଏହି ୩ ଖେଳାଳୀଙ୍କ ବ୍ୟତୀତ ଘରୋଇ କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କିଛି ନୂଆ ଚେହେରା ଓ ଅର୍ନ୍ତରାଷ୍ଟ୍ରୀୟ ଚେହେରାଙ୍କୁ ଦଳରେ ସାମିଲ କରିବାକୁ ମହାନିଲାମୀକୁ ଓହ୍ଲାଇବ ଅହମ୍ମଦାବାଦ । ଏପରିକି ଦଳ ଇଶାନ କିଷାନଙ୍କୁ ମଧ୍ୟ ଫୋକସରେ ରଖିଛି, କିନ୍ତୁ ଏଥିପାଇଁ ଦଳକୁ ମହାନିଲାମୀରେ ଲଢେଇ କରିବାକୁ ହେବ ।

ଅହମ୍ମଦାବାଦ ଫ୍ରାଞ୍ଚାଇଜକୁ ସିବିସି କ୍ୟାପିଟାଲ ୫୬୨୫ ଟଙ୍କାରେ କିଣିଛି । ଆଶିଷ ନେହେରାଙ୍କୁ ଦଳ କୋଚ୍ କରିଥିବା ବେଳେ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ଗ୍ୟାରୀ କର୍ଷ୍ଟେନଙ୍କୁ ନିଜର ମେଣ୍ଟର ଭାବେ ଦଳରେ ସାମିଲ କରାଯାଇଛି । ଚଳିତଥର ଆଇପିଏଲରେ ୧୦ଟି ମୈଦାନକୁ ଓହ୍ଲାଇବେ । ତେବେ ଏହାପୂର୍ବରୁ ଆସନ୍ତା ଫେବ୍ରୁଆରୀରେ ମହାନିଲାମୀ ହେବାକୁ ଯାଉଛି ।