କନକ ବ୍ୟୁରୋ : ୨୦୦୮ଅହମ୍ମଦାବାଦ ସିରିଜ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ । ଗୁଜୁରାଟର ସ୍ପେଶାଲ କୋର୍ଟ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ବେଳେ ୧୧ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ବିସ୍ଫୋରଣରେ ମୃତକଙ୍କ ପରିବାରକୁ ୧ ଲକ୍ଷ ଓ ଗମ୍ଭୀର ରୂପେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଓ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆଉ ଏହା ନ୍ୟାୟିକ ଇତିହାସର ସବୁଠୁ ବିରଳ ଘଟଣା । ଏକାକାଳୀନ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯିବା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଅହମ୍ମଦାବାଦ ସିରିଜ ବିସ୍ଫୋରଣ ଘଟଣାରେ ୭୮ ଜଣ ଅଭିଯୁକ୍ତ ଥିଲେ । ପରବର୍ତ୍ତୀ ସମୟରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇ ଯାଇଥିଲେ । ତେବେ ମାମଲା ୭୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାଲିଥିଲା । ୧୧୬୩ ଜଣଙ୍କ ଠାରୁ ବୟାନ, ୬ ହଜାରରୁ ଅଧିକ ପ୍ରମାଣ ଯୋଗାଡ କରାଯାଇଥିଲା । ତେବେ ପ୍ରମାଣ ଅଭାବରୁ ୨୮ ଜଣଙ୍କୁ ନିର୍ଦ୍ଦୋଷ ଭାବେ ଖଲାସ କରାଯାଇଥିଲା । ଆଉ ଆଜି ୬୭୫୨ ପୃଷ୍ଠାର ରାୟରେ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ନ୍ୟାୟିକ ଇତିହାସରେ ଏହା ପ୍ରଥମଥର ପାଇଁ ହୋଇଛି ଯେତେବେଳେ ୪୯ ଜଣ ଅଭିଯୁକ୍ତଙ୍କୁ ଆତଙ୍କବାଦୀ ଭାବେ ଦୋଷୀ କରାଯାଇଛି । ୟୁଏପିଏ ଆଇନ ବଳରେ ସମସ୍ତ ୪୯ ଜଣଙ୍କୁ ଦୋଷୀ ଚିହ୍ନଟ କରାଯାଇଛି ।
A special court in Gujarat pronounced the death sentence to 38 out of 49 convicts in the 2008 Ahmedabad serial bomb blast case. Eleven others have been sentenced to life imprisonment by the court, the special public prosecutor Amit Patel said pic.twitter.com/3zpjSFeQBY
— ANI (@ANI) February 18, 2022
୨୦୦୮ରେ ହୋଇଥିଲା କଣ?
୨୬ ଜୁଲାଇ ୨୦୦୮ରେ ଅହମ୍ମଦାବାଦରେ ସନ୍ଧ୍ୟା ୬ଟା ୪୫ ମିନିଟରେ ବିସ୍ଫୋରଣ ହୋଇଥିଲା । ପ୍ରଥମ ବିସ୍ଫୋରଣ ମଣିନଗର ଅଞ୍ଚଳରେ ହୋଇଥିଲା । ସେତେବେଳେ ମଣିନଗର ଏବେ ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କ ନିର୍ବାଚନମଣ୍ଡଳୀ ଥିଲା । ଆଉ ଏହାପରେ ପାଖାପାଖି ୭୦ ମିନିଟ୍ ମଧ୍ୟରେ ଆଉ ୨୦ଟି ବମ ବିସ୍ଫୋରଣ ହୋଇଥିଲା । କେହି କିଛି ବୁଝି ପାରିନଥିଲେ । ଆଉ ଏହି ବିସ୍ଫୋରଣରେ ୫୬ ଲୋକଙ୍କର ଜୀବନ ଯାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।
ଆତଙ୍କବାଦୀ ମାନେ ଟିଫିନରେ ବମ୍ ରଖି ଏହାକୁ ଜନଗହଳିପୂର୍ଣ୍ଣ ସ୍ଥାନରେ ସାଇକେଲରେ ରଖିଥିଲେ । ଏହି ବିସ୍ଫୋରଣରେ ଇଣ୍ଡିଆନ ମୁଜାହିଦ୍ଦିନ, ସିମି ଆତଙ୍କବାଦୀ ସଙ୍ଗଠନ ସାମିଲ ଥିଲେ । ଆଉ ବିସ୍ଫୋରଣର ୫ ମିନିଟ୍ ପୂର୍ବରୁ ହିଁ ଆତଙ୍କବାଦୀ ମାନେ ନ୍ୟୁଜ୍ ଏଜେନ୍ସିକୁ ଏକ ମେଲ ପଠାଇ ଲେଖିଥିଲେ ଯେ, ଯାହା ଇଚ୍ଛା କ. ଯଦି ଅଟକାଇ ପାରିବ ତ ଅଟକାଇ ଦେଖାଅ ।