କନକ ବ୍ୟୁରୋ : ୨୦୦୮ ଅହମ୍ମଦାବାଦ ସିରିଜ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଥିବା ୪୯ ଜଣଙ୍କ ମଧ୍ୟରୁ ଏକକାଳୀନ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ପେଶାଲ କୋର୍ଟ । ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ନ୍ୟାୟିକ ଇତିହାସରେ ୩୮ ଜଣଙ୍କୁ ଏକକାଳୀନ ଫାଶୀ ଦଣ୍ଡାଦେଶ ଦେବା ବିରଳ ଘଟଣା । ପୂର୍ବରୁ କେବେ ଏଭଳି ଦେଖିବାକୁ ମିଳିନଥିଲା । ଗତ ୧୩ ବର୍ଷ ହେବ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି ।
2008 Ahmedabad serial bomb blast case | A special court pronounces death sentence to 38 out of 49 convicts pic.twitter.com/CtcEWGze2z
— ANI (@ANI) February 18, 2022
ଅହମ୍ମଦାବାଦ ସିରିଜ ବିସ୍ଫୋରଣ ଘଟଣାରେ ୭୮ ଜଣ ଅଭିଯୁକ୍ତ ଥିଲେ । ପରବର୍ତ୍ତୀ ସମୟରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇ ଯାଇଥିଲେ । ତେବେ ମାମଲା ୭୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାଲିଥିଲା । ୧୧୬୩ ଜଣଙ୍କ ଠାରୁ ବୟାନ, ୬ ହଜାରରୁ ଅଧିକ ପ୍ରମାଣ ଯୋଗାଡ କରାଯାଇଥିଲା । ତେବେ ପ୍ରମାଣ ଅଭାବରୁ ୨୮ ଜଣଙ୍କୁ ନିର୍ଦ୍ଦୋଷ ଭାବେ ଖଲାସ କରାଯାଇଥିଲା । ଆଉ ଆଜି ୬୭୫୨ ପୃଷ୍ଠାର ରାୟରେ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ନ୍ୟାୟିକ ଇତିହାସରେ ଏହା ପ୍ରଥମଥର ପାଇଁ ହୋଇଛି ଯେତେବେଳେ ୪୯ ଜଣ ଅଭିଯୁକ୍ତଙ୍କୁ ଆତଙ୍କବାଦୀ ଭାବେ ଦୋଷୀ କରାଯାଇଛି । ୟୁଏପିଏ ଆଇନ ବଳରେ ସମସ୍ତ ୪୯ ଜଣଙ୍କୁ ଦୋଷୀ ଚିହ୍ନଟ କରାଯାଇଛି ।
୨୬ ଜୁଲାଇ ୨୦୦୮ରେ ଅହମ୍ମଦାବାଦରେ ସନ୍ଧ୍ୟା ୬ଟା ୪୫ ମିନିଟରେ ବିସ୍ଫୋରଣ ହୋଇଥିଲା । ପ୍ରଥମ ବିସ୍ଫୋରଣ ମଣିନଗର ଅଞ୍ଚଳରେ ହୋଇଥିଲା । ସେତେବେଳେ ମଣିନଗର ଏବେ ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କ ନିର୍ବାଚନମଣ୍ଡଳୀ ଥିଲା । ଆଉ ଏହାପରେ ପାଖାପାଖି ୭୦ ମିନିଟ୍ ମଧ୍ୟରେ ଆଉ ୨୦ଟି ବମ ବିସ୍ଫୋରଣ ହୋଇଥିଲା । କେହି କିଛି ବୁଝି ପାରିନଥିଲେ । ଆଉ ଏହି ବିସ୍ଫୋରଣରେ ୫୬ ଲୋକଙ୍କର ଜୀବନ ଯାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଆତଙ୍କବାଦୀ ମାନେ ଟିଫିନରେ ବମ୍ ରଖି ଏହାକୁ ଜନଗହଳିପୂର୍ଣ୍ଣ ସ୍ଥାନରେ ସାଇକେଲରେ ରଖିଥିଲେ । ଏହି ବିସ୍ଫୋରଣରେ ଇଣ୍ଡିଆନ ମୁଜାହିଦ୍ଦିନ, ସିମି ଆତଙ୍କବାଦୀ ସଙ୍ଗଠନ ସାମିଲ ଥିଲେ । ଆଉ ବିସ୍ଫୋରଣର ୫ ମିନିଟ୍ ପୂର୍ବରୁ ହିଁ ଆତଙ୍କବାଦୀ ମାନେ ନ୍ୟୁଜ୍ ଏଜେନ୍ସିକୁ ଏକ ମେଲ ପଠାଇ ଲେଖିଥିଲେ ଯେ, ଯାହା ଇଚ୍ଛା କ. ଯଦି ଅଟକାଇ ପାରିବ ତ ଅଟକାଇ ଦେଖାଅ ।