ଦେଶର ବିଭିନ୍ନ ସ୍ଥାନରେ ସିଏଏ ବିରୋଧୀ ହିଂସା । ନାଗରିକତା ଆଇନକୁ ବିରୋଧ କରି ଗୁଜୁରାଟର ଅହମ୍ମଦାବାଦରେ ହିଂସା ଉଗ୍ର ରୂପ ଧାରଣ କରିଛି । ହଜାର ହଜାର ଆନ୍ଦୋଳନକାରୀ ହିଂସାକାଣ୍ଡ ଘଟାଇବାରୁ ପରିସ୍ଥିତି ଅଣାୟତ ହୋଇପଡିଛି । ଆନ୍ଦୋଳନ ଉଗ୍ର ହେବାରୁ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ପ୍ରତିବାଦକାରୀ । ପୋଲିସ ଉପରେ ଲୋକେ ଟେକାପଥର ମାଡ କରିଛନ୍ତି ।  ସୂଚନାନୁସାରେ, ଗୁରୁବାର ଗୁଜୁରାଟ ବନ୍ଦ ରହିବାର ଘୋଷଣା କରାଯାଇଥିଲା । ଯାହାକୁ ନେଇ ପ୍ରଦର୍ଶନକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପାଳନପୁର ଜିଲ୍ଲାରେ ହଜାର ହଜାର ବିକ୍ଷୋଭକାରୀ ରାସ୍ତା ଉପରକୁ ଆସି ହିଂସା ଘଟାଇଥିଲେ । ଫଳରେ ରାସ୍ତା ଜାମ୍ ହୋଇଥିଲା । ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ  ପୋଲିସ କିଛି ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା । ଏହା ସତ୍ତେ୍ୱ ମଧ୍ୟ ପରିସ୍ଥିତି ଅଣାୟତ ହୋଇପଡିଥିଲା । ବିକ୍ଷୋଭକାରୀମାନେ ପୋଲିସ ଗାଡି ଭଙ୍ଗାରୁଜା କରିବା ସହିତ ଟେକାପଥର ମାଡ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅହମଦାବାଦ-ପାଳନପୁର ରାସ୍ତାକୁ ବନ୍ଦ ରଖାଯାଇଛି ।

Advertisment

ସହରର ବିଭିନ୍ନ ସ୍ଥାନରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ତେବେ ଗୁଜରାଟର ଅହମ୍ମଦାବାଦରେ ମଧ୍ୟ ନାଗରିକତା ସଂଶୋଧନ ଆଇନ ବିରୋଧୀ ବିକ୍ଷୋଭ ହିଂସାତ୍ମକ ରୁପ ନେଇଛି । ପୁଲିସ ଓ ଉତ୍ୟକ୍ତ ଜନତା ମୁହାଁମୁହିଁ ହୋଇଛନ୍ତି । ପୁଲିସର ଲାଠି ମାଡରେ ବହୁ ଲୋକ ଆହତ ହୋଇଥିବା ବେଳେ ଲୋକଙ୍କ ଟେକାପଥର ମାଡରେ ଆହତ ହୋଇ ୧୯ ଜଣ ପୁଲିସ କର୍ମଚାରୀ ମେଡିକାଲରେ ଭର୍ତି ହୋଇଛନ୍ତି । ଉତ୍ୟକ୍ତ ଭିଡକୁ ନିୟନ୍ତ୍ରଣ କରି ପୁଲିସ ଗୁଳିମାଡ କରିଥିଲା, ଯେଉଁଥିରେ ୨ ଜଣ ପ୍ରତିବାଦକାରୀଙ୍କ ଜୀବନ ଯାଇଛି । ଏହାପରେ ଆଜି ରାତ୍ରି ଯାଏଁ ମାଙ୍ଗାଲୁରରେ କର୍ଫ୍ୟୁ ଜାରି କରାଯାଇଛି । ଏପରିକି ପୁଲିସ ଆନ୍ଦୋଳନକାରୀଙ୍କୁ ଗୋଡେଇ ଗୋଡେଇ ନିର୍ଦ୍ଦୟ ଭାବେ ପିଟୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପୋଲିସ ୩୨ଜଣ ବିକ୍ଷୋଭକାରୀଙ୍କୁ ହିରାସତକୁ ନେଇଥିବା ବେଳେ ଅନ୍ୟ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।