ଶେଷ ରକ୍ତ ବିନ୍ଦୁ ଯାଏଁ ହାର ମାନିବୁନି, ଲଢେଇ କରିବୁ । ତାଲିବାନକୁ ମସୁଦଙ୍କ ଚେତାବନୀ ।

304

କନକ ବ୍ୟୁରୋ : ଘମାଘୋଟ ଲଢେଇ ଭିତରେ ପଞ୍ଜଶୀରକୁ କବଜା କରିଥିବା ତାଲିବାନ ଦାବି କରିଛି । ଏପରିକି ପଞ୍ଜଶୀରର ପ୍ରବେଶ ଦ୍ୱାରରେ ତାଲିବାନ ପକ୍ଷରୁ ପତାକା ଲଗାଯାଉଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ତେବେ ପଞ୍ଜଶୀରର ସୁରକ୍ଷା ପାଇଁ ଲଢେଇ କରି ଆସୁଥିବା ନଦର୍ଣ୍ଣ ଆଲାଏନ୍ସର ମୁଖ୍ୟ ଅହମ୍ମଦ ମସୁଦ ଏକ ଅଡିଓ ଟେପ ଜାରି କରିଛନ୍ତି । ଏହି ଅଡିଓରେ ତାଲିବାନ ବିରୋଧରେ ଅସ୍ତ୍ର ଉଠାଇବାକୁ ଆହ୍ୱାନ ଦେଇଛନ୍ତି ମସୁଦ । କେବଳ ତାଲିବାନ ବିରୋଧରେ ଅସ୍ତ୍ର ଉଠାଇବାକୁ ଆହ୍ୱାନ ଦେଇନାହାନ୍ତି ମସୁଦ ବରଂ ପାକିସ୍ତାନ ଉପରେ ମଧ୍ୟ ବର୍ଷିଛନ୍ତି ।

ମସୁଦ କହିଛନ୍ତି, ପାକିସ୍ତାନର ଚରିତ୍ର କଣ ତାହା ବିଶ୍ୱର ସବୁ ଦେଶ ଜାଣିଛନ୍ତି । ଏହାସତ୍ତେ୍ୱ ମଧ୍ୟ ସମସ୍ତେ ଚୁପ୍ ରହିଛନ୍ତି । କିନ୍ତୁ ପଞ୍ଜଶୀରର ସାହସୀ ଯୋଦ୍ଧା ଅପରାଜେୟ । ପଞ୍ଜଶୀରରେ ପାକିସ୍ତାନ ଓ ତାଲିବାନ ମିଳିତ ଭାବେ ବୋମା ବିସ୍ଫୋରଣ କରୁଥିବା ନେଇ ସ୍ପଷ୍ଟ କରିଛନ୍ତି ମସୁଦ । ପାକିସ୍ତାନ ସିଧାସଳଖ ଆଫଗାନବାସୀଙ୍କ ଉପରେ ଆକ୍ରମଣ କରିଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ବିଶ୍ୱ ସମୁଦାୟ ଚୁପ୍ ରହିଛି । ତେବେ ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ପରାଜୟ ମାନିବୁ ନାହିଁ ଓ ଲଢେଇ ଜାରି ରଖିବୁ ବୋଲି କହିଛନ୍ତି ମସୁଦ ।

ପାକିସ୍ତାନ ଓ ତାଲିବାନର ମିଳିତ ଆକ୍ରମଣରେ ଅହମ୍ମଦ ମସୁଦ ପରିବାରର କିଛି ସଦସ୍ୟ ମୃତାହତ ହୋଇଥିବା ସୂଚନା ମିଳିଛି । ମସୁଦ କହିଛନ୍ତି, ତାଲିବାନ ଏବେ ବି ବଦଳି ନାହିଁ । ପୂର୍ବପେକ୍ଷା ତାଲିବାନ ଅଧିକ କ୍ରୁର,ହିଂସ୍ର ଓ ନିର୍ଦ୍ଦୟ ହୋଇଯାଇଛି । ତେବେ ଏସବୁ ଭିତରେ ତାଲିବାନ ପକ୍ଷରୁ ଏକ ଧମକପୂର୍ଣ୍ଣ ଚେତାବନୀ ମଧ୍ୟ ଜାରି କରାଯାଇଛି । ଯିଏ ବି ତାଲିବାନ ବିରୋଧରେ ଅସ୍ତ୍ର ଉଠାଇବାକୁ ସାହସ କରିବ ସେମାନଙ୍କ ପଞ୍ଜଶୀର ଭଳି ଦଶା ଭୋଗିବାକୁ ପଡିବ ।