କନକ ବ୍ୟୁରୋ: ଆସନ୍ତା ମାସରେ ଜି-୨୦ ସମ୍ମିଳନୀ । ଦିଲ୍ଲୀ ଗସ୍ତରେ ଆସିବେ ବିଶ୍ୱର ଅନେକ ବଡ ବଡ ନେତା । ଯେଉଁଥିରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ରହିଛନ୍ତି । ଏହା ପୂର୍ବରୁ କିନ୍ତୁ ଚୀନ୍ ନିଜର ଔଦ୍ଧତ୍ୟ ଦେଖାଇବା ଆରମ୍ଭ କରିଛି । ସୋମବାର ନିଜର ସରକାରୀ ମିଡିଆ ଗ୍ଲୋବାଲ ଟାଇମ୍ସ ଜରିଆରେ ଚୀନ ୨୦୨୩ ସଂସ୍କରଣର ମାନଚିତ୍ର ଜାରି କରିଛି । ଯେଉଁଥିରେ ଅରୁଣାଚଳପ୍ରଦେଶକୁ ନିଜର ବୋଲି ପୁଣିଥରେ ଦାବି କରିଛି । କେବଳ ଅରୁଣାଚଳ ପ୍ରଦେଶ ନୁହେଁ ଚୀନର ନୂଆ ମାନଚିତ୍ରରେ ଅକ୍ସାଇ ଚୀନ୍, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗର ମଧ୍ୟ ରହିଛି ।

Advertisment

ଭାରତର ଅରୁଣାଚଳ ପ୍ରଦେଶକୁ ଚୀନ୍ ଦକ୍ଷିଣ ତିବ୍ଦତ ବୋଲି ଦାବି କରୁଛି । ୧୯୬୨ ଯୁଦ୍ଧ ପରେ ଅରୁଣାଚଳ ପ୍ରଦେଶର ସୀମାରେ ଚୀନ ସେନା ମାଡି ଆସିଥିଲା । ସେହି ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରି ଆସୁଛି । ହେଲେ ନୂଆଦିଲ୍ଲୀ ବାରମ୍ବାର ଚେତାଇ ଆସୁଛି ଯେ ଏହା ଅଖଣ୍ଡ ଭାରତର ଅଂଶ । ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତନ କରିଥିଲା । ବିଗତ ୫ ବର୍ଷ ମଧ୍ୟରେ ଚୀନ ତୃତୀୟ ଥର ପାଇଁ ନୂଆ ମାନଚିତ୍ର ଜାରି କରିଛି । ଏହା ପୂର୍ବରୁ ୨୦୨୧ରେ ୧୫ଟି ସ୍ଥାନ ଏବଂ ୨୦୧୭ରେ ୬ଟି ସ୍ଥାନର ନାମ ପରିବର୍ତନ କରିଥିଲା । ନିକଟରେ ବ୍ରିକ୍ସ ସମ୍ମିଳନୀରେ ମୋଦୀ-ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ସୀମା ସୁରକ୍ଷା ନେଇ ଆଲୋଚନା ହୋଇଥିଲା । କିନ୍ତୁ ଭେଟଘାଟର କିଛି ଦିନ ପରେ ଚୀନ ପୁଣି ଥରେ ନୂଆ ରଙ୍ଗ ଦେଖାଇଛି ।