ବଢୁଛି ରଥ ଅଡୁଆ: ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ ମାମଲା; କେନ୍ଦ୍ର, ରାଜ୍ୟ, ପୁରୀ ଜିଲ୍ଲାପାଳ ଓ ମନ୍ଦିର ପରିଚାଳନା କମିଟି ପକ୍ଷଭୁକ୍ତ, ସୋମବାର ହୋଇପାରେ ଶୁଣାଣି

ସେପଟେ ହାଇକୋର୍ଟଙ୍କ ରାୟ, ମେସିନ୍ କିମ୍ବା ହାତୀ ଲଗାଇ ଟାଣିପାର ରଥ

382

କନକ ବ୍ୟୁରୋ: ରଥଯାତ୍ରା ବନ୍ଦ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଁଚି ଯାଇଛି । ଓଡିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ ଆଇନଜୀବୀ ରଂଜିତା ରୋହତଗୀଙ୍କ ଜରିଆରେ ସର୍ବଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି । ବଡ କଥା ହେଉଛି ଏହି ଆବେଦନ ସୁପ୍ରିମକୋର୍ଟରେ ଗ୍ରହଣ ହୋଇଥିବା ବେଳେ ଶୁଣାଣି ପାଇଁ ରହିଛି । ଏହି ଆବେଦନରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ପୁରୀ ଜିଲ୍ଲାପାଳ ଓ ମନ୍ଦିର ପରିଚାଳନା କମିଟିକୁ ପକ୍ଷଭୁକ୍ତ କରାଯାଇଛି ।

ଆବେଦନକାରୀ ପୂର୍ବରୁ ରଥଯାତ୍ରା ବନ୍ଦ କରିବା ପାଇଁ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ରାୟରେ କହିଥିଲେ ଯେ, ରଥଯାତ୍ରା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । କିନ୍ତୁ ରାଜ୍ୟ ସରକାର ଏଯାଏ କିଛି ବି ସ୍ପଷ୍ଟ କରିନାହାଁନ୍ତି । ରଥଯାତ୍ରା ହେଲେ କିଭଳି ସାମାଜିକ ଦୂରତ୍ୱ ରକ୍ଷା ସମ୍ଭବ ବୋଲି ଆଶଙ୍କା କରି ସୁପ୍ରିମକୋର୍ଟ ଯାଇଛନ୍ତି ଆବେଦନକାରୀ । ମାମଲା ଆସନ୍ତାକାଲି ଅର୍ଥାତ୍ ସୋମବାର ଶୁଣାଣି ହୋଇପାରେ । ଏହାରି ଭିତରେ ରଥଯାତ୍ରା ହେବ କି ନାହିଁ , ତାହା ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ଉପରେ ନିର୍ଭର କରୁଛି ।

ଏପଟେ ମେସିନ କିମ୍ବା ହାତୀ ଲଗାଇ ରଥ ଟାଣିପାର ବୋଲି ମତ ଦେଇଛନ୍ତି ହାଇକୋର୍ଟ । ରଥଯାତ୍ରା ଆୟୋଜନ ବେଳେ ଗୁରୁତ୍ୱପୂର୍ଣ୍ଣ ହେଉଛି ରଥଟଣା  । ବହୁ ସଂଖ୍ୟକ ବ୍ୟକ୍ତିଙ୍କୁ ରଥଟଣାରେ ନିୟୋଜନ କରିବା ବଦଳରେ ଏତିରେ ମେସିନ କିମ୍ବା ହାତୀ ନିୟୋଜନ ଭଳି ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ସଂପର୍କରେ ସରକାର ବିଚାର କରନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ଆୟୋଜନ ସମ୍ପର୍କରେ ସରକାର, ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ । ସରକାରଙ୍କ କୋଭିଡ୍-୧୯ ନିୟମାବଳୀ ପାଳନ କରିବେ । ଏବଂ ରଥ ଟଣା ପ୍ରସଙ୍ଗକୁ ବି ଧ୍ୟାନଦେବେ  ବୋଲି ରଥଯାତ୍ରା ସମ୍ପର୍କିତ ଆବେଦନର ଶୁଣାଣି କରି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।