ପାର୍ବଣରେ କରୋନା ଡର : ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗିଲା ରୋକ୍ 

114

କନକ ବ୍ୟୁରୋ : ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୀପାବଳି ଓ ପାର୍ବଣରେ ବାଣ ବିକ୍ରି ହେବନି କି ଫୁଟିବନି । ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଏବଂ କରୋନା ସଂକ୍ରମଣ କମାଇବାକୁ ପାର୍ବଣ ମାସ ପାଇଁ ଏହି କଟକଣା ‌ଲଗାଯାଇଛି । ଏହା ସହ ପାର୍ବଣରେ ଦୁଇ ମହାନଗରୀରେ ନାଇଟ୍‌ କର୍ଫ୍ୟୁ କଡ଼ାକଡ଼ି କରାଯିବ । ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଏପରି କଟକଣା ରଖି କୋଭିଡ୍‌ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ।

ଦଶହରା ସମୟରେ ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଓ ବିସର୍ଜନ ସମୟରେ ଲୋକ ଆତସବାଜି କରିଥା’ନ୍ତି । ତେଣୁ ଅକ୍ଟୋବର ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନ୍‌ରେ ରାଜ୍ୟ ସରକାର କଟକଣା ଲଗାଇଦେଇଛନ୍ତି । ନଭେମ୍ବର ୪ରେ ଦୀପାବଳି ପଡ଼ୁଥିବାରୁ ସେହି ସମୟରେ ବି ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ନିଷେଧ ହେବ ବୋଲି ଏବେଠୁ ସ୍ପଷ୍ଟ ଆଭାସ ଦେଇଛନ୍ତି । ଅପରପକ୍ଷେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, ଅକ୍ଟୋବରରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାର୍ବଣ ଋତୁ ଥିବାରୁ ବିଭିନ୍ନ ସମ୍ପ୍ରଦାୟର ପୂଜାପର୍ବାଣୀ ଅଛି । ଏହି ସମୟରେ ଅଧିକ ବାଣ ଫୁଟିଥାଏ । ଯାହାକୁ ନଜରରେ ରଖି ଦିଲ୍ଲୀ ସରକାର ଗତ ସପ୍ତାହରେ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ବାଣ ଫୁଟାଇବା, ବିକ୍ରି ଓ ପ୍ରସ୍ତୁତି ଉପରେ ରୋକ୍ ଲଗାଇଛନ୍ତି ।

ଦିଲ୍ଲୀ ସରକାର ଶୀତ ଦିନେ ସହରରେ ପ୍ରଦୂଷଣ ବଢ଼ୁଥିବାରୁ ଏବଂ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ବାଣ ନିଷେଧ କରିଛନ୍ତି । ତେଣୁ ଓଡ଼ିଶା ସରକାର ମଧ୍ୟ ସେହିପରି ସାରା ରାଜ୍ୟରେ ଡିସେମ୍ବର ୩୧ପର୍ଯ୍ୟନ୍ତ, ପାର୍ବଣ ସମୟରେ ବାଣ ନିଷେଧ କରିବେ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ରାଜ୍ୟରେ ବାଣ ପ୍ରସ୍ତୁତି ସମୟରେ ପ୍ରତିବର୍ଷ ବିସ୍ଫୋରଣ ଯୋଗୁଁ ବହୁ ଲୋକଙ୍କର ମୃତ୍ୟୁ ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ବେଆଇନ୍ ବାଣ ପ୍ରସ୍ତୁତି ଉପରେ ରୋକ୍‌ ଲଗାଇବା ନେଇ ଦାବି ଉଠିଛି । ଯାହାକୁ ନଜରରେ ରଖି ରାଜ୍ୟ ସରକାର ଖୁବ୍‌ ଶୀଘ୍ର କିଛି ସ୍ପଷ୍ଟ ଗାଇଡଲାଇନ୍ ଜାରି କରିବେ ବୋଲି ଜଣାପଡ଼ିଛି ।