କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡରେ କଂଗ୍ରେସ ବଡ ନିଷ୍ପତି ନେଇଛି । ରାଜ୍ୟର ଶିକ୍ଷା ଓ ସ୍ୱାସ୍ୟମନ୍ତ୍ରୀ ଟି.ଏସ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜନ ଖଡଗେ । ଖଡଗେ କହିଛନ୍ତି, ସିଂଦେଓଙ୍କ ସେବାରେ ଛତିଶଗଡ ବାସୀ ଉପକୃତ ହେବେ । ଟିଏସ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Advertisment

ଛତିଶଗଡରେ ଚଳିତବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବାର ଅଛି । ୨୦୧୮ରେ ହୋଇଥିବା ନିର୍ବାଚନରେ ମୋଟ ୯୦ ଆସନ ମଧ୍ୟରୁ କଂଗ୍ରେସ ୬୮ଟି ଆସନ ପାଇଥିଲା । ବିଜେପି ମାତ୍ର ୧୫ଟି ଆସନ ପାଇଥିଲା । ଟିଏସ ସିଂହଦେଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ ବି ଭୂପେଶ ବଘେଲଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା କଂଗ୍ରେସ । ବଘେଲଙ୍କ ପରେ ଟିଏସ ସିଂହଦେଓ ହେଉଛନ୍ତି ଛତିଶଗଡ କଂଗ୍ରେସର ନମ୍ବର-୨ ନେତା । ସରକାର ଗଠନ ପରେ ବଘେଲ ଓ ସିଂହଦେଓଙ୍କ ମଧ୍ୟରେ ମତଭେଦର ଖବର ବାରମ୍ବାର ସାମ୍ନାକୁ ଆସିଛି ।

କିନ୍ତୁ ନିର୍ବାଚନ ପୂର୍ବରୁ ଟି.ଏସ ସିଂଦଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରି ବଡ ମାଷ୍ଟରଷ୍ଟ୍ରୋକ ଖେଳିଛି କଂଗ୍ରେସ । ତ୍ରିଭୁବନେଶ୍ୱର ଶରଣ ସିଂହଦେଓଙ୍କ ଜନ୍ମ ଉତରପ୍ରଦେଶର ହୋଇଥିବାବେଳେ ମଧ୍ୟପ୍ରଦେଶରେ ସେ ପାଠପଢିଛନ୍ତି ଓ ଛତିଶଗଡରେ ରାଜନୀତି କରୁଛନ୍ତି । ଅମ୍ବିକାପୁରରୁ ଲଗାତାର ୩ ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଛନ୍ତି । ୨୦୧୮ରେ ସେ କଂଗ୍ରେସ ଘୋଷଣାପତ୍ର କମିଟିର ଅଧ୍ୟକ୍ଷ ଥିଲେ ।