ମୋଦୀଙ୍କ ନୂଆ ଟିମରେ କ’ଣ ରହିବ ବିଶେଷତ୍ୱ ? କାହାକୁ ମିଳିବ କେଉଁ ଦାୟିତ୍ୱ? ଏବେଠୁ ଆରମ୍ଭ ହେଲାଣି ଚର୍ଚ୍ଚା

215

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ହେବାକୁ ଯାଉଥିବା ବେଳେ ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ନେତାମାନେ ପହଂଚିବାରେ ଲାଗିଛନ୍ତି । ଏମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମୀନାକ୍ଷୀ ଲେକ୍ଷୀ, ସର୍ବାନନ୍ଦ ସୋନାୱାଲ, ପଶୁପତି ପାରସ, ପ୍ରିତମ ମୁଣ୍ଡେ, ହିନା ଗାଭିତ, ଭୁପେନ୍ଦ୍ର ଯାଦବଙ୍କ ପରି ନେତା ଅଛନ୍ତି । ଆଜି ସଂଧ୍ୟା ୬ଟା ମୋଦୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ମୋଦୀଙ୍କ ନୂଆ ଟିମ୍ କ’ଣ ରହିବ ବିଶେଷତ୍ୱ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

– ମୋଦୀଙ୍କ ନୂଆ ଟିମରେ ଅଧିକ ମହିଳା ଓ ପେସାଦାର (ପ୍ରୋଫେସନାଲ) ସ୍ଥାନ ପାଇପାରନ୍ତି
– ଜାତି ଓ ଆଂଚଳିକ ସମନ୍ୱୟ ରକ୍ଷା ପାଇଁ ଯୁବ ନେତାଙ୍କୁ ଏଥର ଅଧିକ ଗୁରୁତ୍ୱ ଦେଇପାରନ୍ତି ମୋଦୀ ସରକାର
– ଚର୍ଚ୍ଚା ଅନୁସାରେ ଏଥର କିଛି ପେସାଦାର ବ୍ୟକ୍ତି କିମ୍ବା ଏକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଅଭିଜ୍ଞତା ରହିଥିବା ବ୍ୟକ୍ତିଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇପାରେ
– ଏଥର ଏକ ନୂଆ ମନ୍ତ୍ରାଳୟ ‘ମିନଷ୍ଟ୍ରି ଅଫ କୋ-ଅପରେସନ’ ବା ସମବାୟ ମନ୍ତ୍ରାଳୟ ଖୋଲାଯାଇପାରେ, ଦେଶରେ ସମବାୟ ଆନ୍ଦୋଳନକୁ ଆଗକୁ ନେବା ପାଇଁ ଏହି ମନ୍ତ୍ରାଳୟ କାମ କରିବ
-ଏହି କ୍ୟାବିନେଟ ସଂପ୍ରସାରଣରେ ବିଜେପିର ସହଯୋଗୀ ଦଳମାନେ ଅଧିକ ପ୍ରତିନିଧିତ୍ୱ ପାଇପାରନ୍ତି
– ଜେଡିୟୁ, ଏଲଜେପି, ଅପନା ଦଲ୍, ସର୍ବ ଭାରତୀୟ ଝାଡଖଣ୍ଡ ଛାତ୍ର ସଂଘ ପରିି ଦଳରୁ ଆସିପାରନ୍ତି ନୂଆ ଚେହେରା
– ବର୍ତମାନ ୯ ଜଣ କେନ୍ଦ୍ର ମନ୍ତ୍ରୀ ଅନ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି, ତେଣୁ ମନ୍ତ୍ରିମଣ୍ଡଳରୁ ପୁରୁଣା ଚେହେରା ବାଦ ପଡ଼ିବାର ସମ୍ଭାବନା କମ୍
– ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୮୧ ଜଣ ମନ୍ତ୍ରୀ ରହିପାରିବେ, ଏବେ ଅଛନ୍ତି ୬୦ ଜଣ
– ୟୁପରେ ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଥିବା ବେଳେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ବେଳେ ବ୍ରାହଣ ଓ ଦଳିତ ଚେହେରାଙ୍କୁ ଗୁରୁତ୍ୱ ମିଳିପାରେ
– ୟୁପି, କର୍ଣ୍ଣାଟକ, ଗୁଜୁରାଟ ଓ ଗୋଆକୁ ପ୍ରାଧାନ୍ୟ ମିଳିପାରେ ରାଜନୈତିକ ସମୀକରଣ ଦୃଷ୍ଟିରୁ ମହାରାଷ୍ଟ୍ରକୁ ମଧ୍ୟ ଗୁରୁତ୍ୱ ମିଳିପାରେ
– ଆଂଚଳିକ ଓ ଜାତିଗତ ସମୀକରଣରେ ତାଳମେଳ ରଖିବାକୁ ଚେଷ୍ଟା କରିପାରନ୍ତି ମୋଦୀ, କାରଣ ଏହାର ପ୍ରଭାବ ଆଗାମୀ ନିର୍ବାଚନ ଗୁଡ଼ିକ ଉପରେ ପଡ଼ିବ
– ଅର୍ଥ ମନ୍ତ୍ରାଳୟକୁ ସଂପ୍ରସାରଣ କରି ଏକ ନୂଆ ବିଭାଗ ଖୋଲାଯାଇପାରେ ଯାହାର ନା ରହିବ ଡିପାର୍ଟମେଂଟ ଅଫ ପବ୍ଲିକ ଏଂଟରପ୍ରାଇଜେସ୍