ଶତ୍ରୁ ଦେଶ ପାଇଁ ସତର୍କ ଘଣ୍ଟି । ଆମେରିକାରୁ ଆସିଲା ଘାତକ ଆପାଚେ ହେଲିକପ୍ଟର, ଭାରତୀୟ ବାୟୁସେନା ହେଲା ଆହୁରି ଶକ୍ତିଶାଳୀ ।

331

ଶତ୍ରୁରାଷ୍ଟ୍ର ପାଇଁ ସତର୍କଘଣ୍ଟି । ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । କାରଣ ବିଶ୍ୱର ବିଧ୍ୱଂସକାରୀ ହେଲିକପ୍ଟର ମଧ୍ୟରେ ଜଣାଶୁଣା ଏଏଚ-୬୪ଇ ଆପାଚେ ଗାର୍ଡିୟନ ହେଲିକପ୍ଟର ବାୟୁସେନାରେ ସାମିଲ ହେବାକୁ ଭାରତରେ ପହଞ୍ଚିଛି । ଆମେରିକାରେ ନିର୍ମିତ ଏହି ଅତ୍ୟାଧୁନିକ ହେଲିକପ୍ଟରକୁ ଆମେରିକାର ହିଣ୍ଡନ ଏୟାରବେସରୁ ପଠାନକୋଟ ଏୟାରବେସକୁ ପଠାଯାଇଛି । ଏହି ବିଧ୍ୱଂସକାରୀ ହେଲିକପ୍ଟରକୁ ବାୟୁସେନାର ଏମଆଇ-୩୫ ହେଲିକପ୍ଟର ସ୍ଥାନରେ ସାମିଲ କରାଯିବ ।

ଆମେରିକା ଠାରୁ ଭାରତ ଏଭଳି ୨୨ଟି ଘାତକ ଏଏଚ-୬୪ଇ ଆପାଚେ ଗାର୍ଡିୟନ ହେଲିକପ୍ଟର କିଣିବାକୁ ଚୁକ୍ତି କରିଛି । ଏହି ବିଧ୍ୱଂସକାରୀ ହେଲିକପ୍ଟର ଘଣ୍ଟା ପ୍ରତି ୩୦୦ କିଲୋମିଟର ସ୍ପିଡରେ ଗତି କରିବା ସହ ଶତ୍ରୁପକ୍ଷ ଶିବିରରେ ଆତଙ୍କ ଖେଳାଇ ଦେଇଥାଏ । ଏହି ଅତ୍ୟାଧୁନିକ ହେଲିକପ୍ଟରରେ ଦୁଇଟି ଇଞ୍ଜିନ ଲାଗିଛି । କିନ୍ତୁ ସବୁଠୁ ବଡ କଥା ହେଉଛି, ଅନ୍ଧାରରେ ମଧ୍ୟ ଏହା ଉଡାଣ ଭରିବା ସହ ଶତ୍ରୁପକ୍ଷ ଶିବିର ଉପରେ ଆକ୍ରମଣ କରିପାରେ ।