କୋଭିଡ କଟକଣାରେ ଚାଲିଛି ଘୋଷଯାତ୍ରା ନୀତିକାନ୍ତି । ରଥ ଖଳାକୁ ଆସିଲା ଶ୍ରୀଜୀଉଙ୍କ ଆଜ୍ଞାମାଳ, ସିଂହଦ୍ୱାର ଚକଡାକୁ ଯିବ ତିନି ରଥ

65

କନକ ବ୍ୟୁରୋ : କୋଭିଡ କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରାର ନୀତିକାନ୍ତି । ପୂର୍ବରୁ ହୋଇଥିବା ନୀତି ନିର୍ଘଂଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିଛନ୍ତି ସେବାୟତ । ତିନି ରଥରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଲ ଲାଗି ହୋଇଛି । ଏହାପରେ ତିନି ରଥକୁ ସିଂହଦ୍ୱାର ଚକଡାକୁ ନିଆଯିବ ।
ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି ଏଡିଜି । ଅତିରିକ୍ତ ଡ଼ିଜି ରାଧାକୃଷ୍ଣ ଶର୍ମା ଓ କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ପୁରୀରେ ପହଂଚି ସମୀକ୍ଷା ବୈଠକ କରିଛନ୍ତି । ପୁରୀ ସହରରେ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସହରକୁ ୧୨ଟି ଜୋନ କରାଯିବା ସହ ସହରର ମୁଖ୍ୟ ପ୍ରବେଶ ପଥ ଓ ବଡ଼ଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ସେପଟେ ରଥ ଟାଣିବା ପାଇଁ ଆଖଡା ଶାଳରେ ନିଜକୁ ପ୍ରସ୍ତୁତ କରୁଛନ୍ତି ସେବାୟତ । ଚଳିତ ବର୍ଷ କରୋନା ଯୋଗୁଁ ଭକ୍ତଙ୍କୁ ପୁରୀ ମନା ହୋଇଛି । କେବଳ ସେବାୟତମାନେ ରଥ ଟାଣିବେ ।ସେପଟେ ରଥଯାତ୍ରା ପାଇଁ ପୁରୀ ବଡ ଦାଣ୍ଡ ପୁଲିସ ଛାଉଣୀରେ ପରିଣତ ହୋଇଛି । ସେହିପରି ରଥଯାତ୍ରା ଯୋଗୁଁ ପୁରୀରରେ ଆଜି ରାତି ୮ଟାରୁ ଦୁଇ ଦିନିଆ କର୍ଫ୍ୟୁ ଲାଗୁ ହେବ । ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ୪୮ ଘଂଟା କର୍ଫ୍ୟୁ କଟକଣା ବଳବତର ରହିବ ।

Comments are closed.