କୋଭିଡ କଟକଣାରେ ଚାଲିଛି ଘୋଷଯାତ୍ରା ନୀତିକାନ୍ତି । ରଥ ଖଳାକୁ ଆସିଲା ଶ୍ରୀଜୀଉଙ୍କ ଆଜ୍ଞାମାଳ, ତିନି ରଥର ଦକ୍ଷିଣ ମୋଡ ପରେ ସିଂହଦ୍ୱାର ଚକଡାକୁ ଟାଣି ଆଣିଲେ ସେବାୟତ

99

କନକ ବ୍ୟୁରୋ : କୋଭିଡ କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରାର ନୀତିକାନ୍ତି । ପୂର୍ବରୁ ହୋଇଥିବା ନୀତି ନିର୍ଘଂଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିଛନ୍ତି ସେବାୟତ । ତିନି ରଥରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଲ ଲାଗି ହୋଇଛି । ଏହାପରେ ତିନି ରଥକୁ ଦକ୍ଷିଣ ମୋଡ କରି ରଥଖଳାରୁ ସିଂହଦ୍ୱାର ଚକଡା ନିକଟକୁ ଟାଣି ଟାଣି ଆଣିଛନ୍ତି ସେବାୟତ । ଏବେ ତିନି ରଥ ସିଂହଦ୍ୱାର ଆଗରେ ଲାଗିଛି ।
ସେପଟେ ରଥଯାତ୍ରା ପାଇଁ ପୁରୀ ସହରରେ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସହରକୁ ୧୨ଟି ଜୋନ କରାଯିବା ସହ ସହରର ମୁଖ୍ୟ ପ୍ରବେଶ ପଥ ଓ ବଡ଼ଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଚଳିତ ବର୍ଷ କରୋନା ଯୋଗୁଁ ଭକ୍ତଙ୍କୁ ପୁରୀ ମନା ହୋଇଥିବା ବେଳେ ସେବାୟତମାନେ ରଥ ଟାଣିବେ । ଘୋଷଯାତ୍ରା ପାଇଁ ପୁରୀରରେ ଆଜି ରାତି ୮ଟାରୁ ଦୁଇ ଦିନିଆ କର୍ଫ୍ୟୁ ଲାଗୁ ହେବ । ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ୪୮ ଘଂଟା କର୍ଫ୍ୟୁ କଟକଣା ବଳବତର ରହିବ ।

Comments are closed.