ମୌସୁମୀ ପୂର୍ବରୁ ବଢିଲା ଚାଷୀଙ୍କ ଚିନ୍ତା! ଦେଶର ବିଭିନ୍ନ ସ୍ଥାନରେ କମ୍ ବର୍ଷାର ରହିଛି ସମ୍ଭାବନା

193

କନକ ବ୍ୟୁରୋ: ମେ ମାସରେ ପ୍ରବଳ ଗରମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଗୋଟେ ପଟେ ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପ ଆଉ ତାପମାତ୍ରା ବୃଦ୍ଧି ଆଉ ଅନ୍ୟପଟେ ମୌସୁମୀକୁ ଅପେକ୍ଷାରତ ରହିଛନ୍ତି ଲୋକେ । ବର୍ଷାକୁ ଚାହିଁବସିଛନ୍ତି କୃଷକ । ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ବର୍ଷ ଭାରତରେ ୧୯ ପ୍ରତିଶତ ଅଞ୍ଚଳରେ ମୌସୁମୀ ବେଳେ ସାମାନ୍ୟରୁ କମ ବର୍ଷା ଏବଂ ୧୩ ପ୍ରତିଶତ ଅଞ୍ଚଳରେ ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ଚଳିତ ଥର ମୌସୁମୀ କେରଳ ଛୁଇଁବାରେ ବିଳମ୍ବର ସମ୍ଭାବନା ରହିଛି । ସାଉଥ ଏସିଆନ ସିଜିନାଲ କ୍ଲାଇମେଟ ଆଉଟଲୁକ ଫୋରମର ସୂଚନା ଅନୁସାରେ, ଉତ୍ତରରେ ସାମନ୍ୟରୁ କମ ବର୍ଷା ହେବାର ୫୨ ପ୍ରତିଶତ ସମ୍ଭାବନା ରହିଛି । ଦେଶର ମଧ୍ୟ ଭାଗରେ ସାମନ୍ୟରୁ କମ ବର୍ଷା ହେବାର ୪୦ ପ୍ରତିଶତ ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାମନ୍ୟା ବର୍ଷା ହେବାର ଅନୁମାନ କରାଯାଉଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଜୁନ ୪ରେ କେରଳରେ ପହଞ୍ଚିବାର ଅନୁମାନ କରାଯାଉଛି । ସ୍କାଏମେଟ ଅନୁସାରେ ମୌସୁମୀ ଜୁନ ୭ରେ କେରଳ ଛୁଇଁପାରେ । ଆଇଏମଡି ଏହା ମଧ୍ୟ କହିଛି ଯେ ଏଲନିନୋର ପ୍ରଭାବ କାରଣରୁ ଚଳିତ ଥର କମ ବର୍ଷା ହେବାର ଆଶଙ୍କା କରାଯାଉଛି ।