ରାଜ୍ୟର ମରୁଡି ସ୍ଥିତି ନେଇ ବିଧାନସଭାରେ ହଙ୍ଗାମା । ବିରୋଧୀ କହିଲେ ୨୭ଜିଲ୍ଲାରେ ପ୍ରଭାବିତ । ଉତ୍ତରରେ କୃଷି ମନ୍ତ୍ରୀ ସ୍ପଷ୍ଟ କଲେ ନାହିଁ, କେତେ ଜିଲ୍ଲାରେ ହୋଇଛି ମରୁଡି ।

123

କନକ ବ୍ୟୁରୋ : ଆରମ୍ଭରୁ ହଟ୍ଟଗୋଳ । ବିଧାନସଭାକୁ ବିଭିନ୍ନ ପ୍ରସଙ୍ଗ ଧରି ଆସିଥିବା ବିରୋଧୀ ପ୍ରଥମ ଦିନରୁ ମରୁଡି ଅସ୍ତ୍ର ପ୍ରୟୋଗ କରିଛନ୍ତି । ବିରୋଧୀ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଯିବାକୁ ଚେଷ୍ଟା କରିଥିଲେ । ଓଡିଶାର କେତେ ଜିଲ୍ଲାରେ ମରୁଡି ହୋଇଛି ଏହି ପ୍ରଶ୍ନର ଉତ୍ତର ଚାହୁଁଥିଲେ ବିରୋଧୀ । କିନ୍ତୁ ଗୃହରେ ଉତ୍ତର ରଖିଥିବା କୃଷି ମନ୍ତ୍ରୀ ଅରୁଣ ସାହୁ ସ୍ପଷ୍ଟ କରିନାହାନ୍ତି ଯେ କେତେ ଜିଲ୍ଲାରେ ମରୁଡି ହୋଇଛି । ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ମରୁଡି ବୋଲି ବିରୋଧୀ କହୁଥିବା ବେଳେ ନିଅଣ୍ଟିଆ ବର୍ଷା ଅଛି ବୋଲି କହୁଛନ୍ତି ସରକାର ।

ହଟ୍ଟଗୋଳରୁ ଆରମ୍ଭ । କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ବାଚସ୍ପତିିଙ୍କ ପୋଡିୟମ୍ ଉପରକୁ ଚଢ଼ିଯିବାକୁ ଚେଷ୍ଟା କରୁଥିଲେ । ଦାବି ଥିଲା ପ୍ରଶ୍ନକାଳ ବାତିଲ କରି ମରୁଡି ଉପରେ ଆଲୋଚନା କରାଯାଉ ।

ଓଡିଶାର କେତେ ଜିଲ୍ଲାରେ ମରୁଡି ହୋଇଛି? କେତେ ଜମି ମରୁଡିରେ ପ୍ରଭାବିତ ହୋଇଛି? କେତେ ଚାଷୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି? ମରୁଡି ସ୍ଥିତି ନେଇ ଏଭଳି ପ୍ରଶ୍ନର ଉତ୍ତର ଆଶା କରାଯାଉଥିଲା । କିନ୍ତୁ କୃଷି ମନ୍ତ୍ରୀ ଅରୁଣ ସାହୁ କେବଳ ନିଅଣ୍ଟିଆ ବର୍ଷାର ସୂଚନା ଦେଇ କହିଥିଲେ, ୨୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କମ୍ ବର୍ଷା କାରଣରୁ ୧୪ ଜିଲ୍ଲାର ୪୭ ବ୍ଲକରେ ଫସଲ ଗୁରୁତର ପ୍ରଭାବିତ ହୋଇଛି । ଏଥିସହ ମନ୍ତ୍ରୀ କହିଥିଲେ ପୂରା ସ୍ଥିତିକୁ ଅନୁଧ୍ୟାନ କରାଯାଉଛି ।

ବିରୋଧୀ କହୁଥିଲେ ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ମରୁଡି ଅଛି । କିନ୍ତୁ ସରକାର କହୁଛନ୍ତି, ନିଅଣ୍ଟିଆ ବର୍ଷା ଅଛି । ତା ସହ ମନ୍ତ୍ରୀ କହିଛନ୍ତି ବୃଷ୍ଟିପାତର ପରିମାଣ ବଦଳୁଥିବାରୁ ଫସଲ ଅବସ୍ଥାରେ ପରିବର୍ତନ ଆସୁଛି ।