କନକ ବ୍ୟୁରୋ : ଚଳିତ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷି ବଜେଟରେ ମୋଟ ୨୪ ହଜାର ୮୨୯ କୋଟିର ବ୍ୟୟବରାଦ କରାଯାଇଛି । ୨୦୨୩-୨୪ର ଏହି ବଜେଟ ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ହୋଇଥିବା ବେଳେ ୨୦୧୬-୧୭ଆର୍ଥିକ ବର୍ଷ ତୁଳନାରେ ଏହା ୩ ଗୁଣ ଅଧିକ ରହିଛି । ରାଜ୍ୟରେ ଥିବା ଗରିବ ଶ୍ରେଣୀର ଲୋକେ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନହୁଅନ୍ତି ସେହି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଚଳିତ ଆର୍ଥିକ ବର୍ଷରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟି ଟଙ୍କାର ରିଭଲଭିଙ୍ଗ ଫଣ୍ଡର ବ୍ୟବସ୍ଥା କରାଯାଇଛି । ରାଜ୍ୟର ୩୦ ଜିଲ୍ଲାରେ ଧାନ ସଂଗ୍ରହ ଜାରିରହିଥିବା ବେଳେ ପଶ୍ଚିମ ଓଡିଶାରେ ପ୍ରମୁଖ ଯୋଗଦାନ ରହିଛି । ତେଣୁ ଏହି ପାଣ୍ଠିର ଟଙ୍କାର ମୁଖ୍ୟ ହିତାଧିକାରୀ ହେବେ ଚାଷୀ ଏବଂ ତାଙ୍କ ଜୀବିକା ଉପାର୍ଜନରେ ଏହା ସହାୟକ ହେବ ।
ସେହିଭଳି ୨୦୧୮-୧୯ରୁ ଆରମ୍ଭ ହୋଇଥିବା କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ୧ ହଜାର ୮ ଶହ ୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପୂର୍ବରୁ ଏହି ଯୋଜନାରେ ୪୧ ଲକ୍ଷ ୮ ହଜାର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏବଂ ୧୮ ଲକ୍ଷ ୬୯ ହଜାର ଭୂମିହୀନ ଚାଷୀ ପରିବାରକୁ ସହାୟତା ମିଳିସାରିଛି ।
ଓୟୁଏଟିରେ କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ପାଇଁ ଶହେ ୬୬ କୋଟିର ବ୍ୟୟବରାଦ କରାଯାଇଛି । ଯାହା ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୫ ଗୁଣ ଅଧିକ ।
Follow Us