କନକ ବ୍ୟୁରୋ : ବିରୋଧୀଙ୍କ ହଙ୍ଗାମା ଭିତରେ ରାଜ୍ୟସଭାରେ କୃଷି ବିଲ ୨୦୨୦ ପାରିତ ହୋଇଛି । କୃଷି ସଂପର୍କିତ ଦୁଇଟି ବିଲ ଧ୍ୱନିମତରେ ପାରିତ ହୋଇଯାଇଛି । ଏହି ସମୟରେ ବିରୋଧୀ ଦଳର ସାଂସଦମାନେ ଏକଛତ୍ରବାଦ ବନ୍ଦ କର ବୋଲି କହି ଗୃହରେ ନାରାବାଜି କରିଥିଲେ । ବିରୋଧୀ ସାଂସଦଙ୍କ ହଙ୍ଗାମା ଯୋଗୁଁ ରାଜ୍ୟସଭାକୁ ୧୦ ମିନିଟ ପାଇଁ ମୁଲତବି ରଖାଯାଇଥିଲା । ପରେ ଧ୍ୱନିମତରେ ଦୁଇଟି କୃଷି ସଂପର୍କିତ ବିଲ କୃଷକ ସଶକ୍ତୀକରଣ ଓ ସଂରକ୍ଷଣ ବିଲ-୨୦୨୦ ପାସ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି କୃଷକ ସମ୍ବର୍ଦ୍ଧନ ଓ ବିଧେୟକ-୨୦୨୦ ମଧ୍ୟ ଆଜି ରାଜ୍ୟ ସଭାରେ ପାରିତ ହୋଇଛି । ସରକାର ଏହି ବିଲକୁ କୃଷକଙ୍କ ସହାୟତା ପାଇଁ ଏକ ମାଷ୍ଟର ଷ୍ଟ୍ରୋକ ବୋଲି କହୁଛନ୍ତି । ଅନ୍ୟପଟେ ବିରୋଧୀ ଏହାକୁ ଭାଗଚାଷୀ ଓ ଛୋଟ କୃଷକଙ୍କ ପାଇଁ ବିନାଶକାରୀ ବୋଲି ମତ ରଖିଛନ୍ତି ।
ସେପଟେ ରାଜ୍ୟସଭାରେ କୃଷି ବିଲକୁ ନେଇ ଚର୍ଚ୍ଚା ସମୟରେ ଜୋରଦାର ହଙ୍ଗାମା ହୋଇଛି । ବିରୋଧୀ ଦଳ ଉପସଭାପତିଙ୍କ ଆସନ ସମ୍ମୁଖରେ ଜୋରଦାର ହଟ୍ଟଗୋଳ କରିଛନ୍ତି । ଟିଏମସି ସାଂସଦ ଡେରେକ ଓ ବ୍ରାଏନ ଉପସଭାପତିଙ୍କ ସମ୍ମାନରେ ରୁଲ ବୁକ ଚିରିଦେଇଛନ୍ତି । ମାଇକ ମଧ୍ୟ ଭଙ୍ଗାଯାଇଛି । ଡେରେକ ଏ ବ୍ରାଏନଙ୍କ ସମେତ ତୃଣମୂଳ କଂଗ୍ରେସର ସାଂସଦ ଉପସଭାପତିଙ୍କ ଆସନ ସମ୍ମୁଖକୁ ଆସି ରୁଲ ବୁକ୍ ଦେଖିବାକୁ ଉଦ୍ୟମ କରି ଏହାକୁ ଚିରିଦେଇଥିଲେ ।
କୃଷି ବିଲ ନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଉତ୍ତରରେ କଂଗ୍ରେସ ଓ ଆମ ଆଦମୀ ପାର୍ଟିର ସାଂସଦ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ଉପସଭାପତିଙ୍କ ଆସନ ସମ୍ମୁଖକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ । କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଥିଲେ, ରାଜ୍ୟସଭାର ସମୟକୁ ବଢାନଯାଉ । ସରକାର ରାଜ୍ୟସଭାର ସମୟକୁ ବଢାଇ ବିଲକୁ ପାସ କରିବାକୁ ଚାହିଁଛନ୍ତି । ଏହାରି ମଧ୍ୟେରେ ବିରୋଧୀ ସାଂସଦ ମାଇକ ବି ଭାଙ୍ଗିଥିଲେ । ବିଲକୁ ଆମ ଆଦମୀ ପାର୍ଟି କଳା ଆଇନ ବୋଲି କହିଛି । କୃଷି ବିଲ ଲୋକସଭାରେ ପାରିତ ହୋଇସାରିଥିବାବେଳେ ରାଜ୍ୟସଭାରେ ଆଜି ଆଗତ ହୋଇଛି ।
ଏହାସହ ବିଲକୁ ନେଇ ଗୃହରେ ଆଲୋଚନା ସମୟରେ ସାଂସଦ ଅମର ପଟ୍ଟନାୟକ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ । ସେ କହିଥିଲେି, ବିଲରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇନାହିଁ । ତେଣୁ ଅଧିକ ଆଲୋଚନା ପାଇଁ ବିଲକୁ ସିଲେକ୍ଟ କମିଟିକୁ ପଠାଯାଉ । ଲୋକସଭାରେ ମଧ୍ୟ ଆଲୋଚନା ବେଳେ ବିଜେଡି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲା ।
ସେପଟେ ରାଜ୍ୟସଭାରେ କୃଷି ବିଲକୁ ବିଜେଡିର ବିରୋଧକୁ ସମାଲୋଚନା କରିଛନ୍ତି ପିସିସି ସଭାପତି । ରାଜ୍ୟବାସୀଙ୍କୁ ବିଜେପି ଓ ବିଜେଡି ଏତେ ବୋକା ବୋଲି କାହିଁକି ଭାବୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।