ତାଲାବନ୍ଦ ଭିତରେ ଅଟକିବନି ଚାଷ କାମ । କୃଷି କ୍ଷେତ୍ରକୁ କରାଗଲା କଟକଣାମୁକ୍ତ, ଇ-କମର୍ସ ଉପରେ ରହିବନି କଟକଣା । ହୋଟେଲରୁ ମଗାଇ ହେବ ଖାଦ୍ୟ ସାମଗ୍ରୀ ।

266

କନକ ବ୍ୟୁରୋ : ଆଜି ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫ଛୁଇଁଛି । ବମ୍ବିଖାଲ ଅବରୋଧ ଅଂଚଳରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଜଣେ ୩୫ବର୍ଷିୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ କରୋନା ସହ ଲଢେଇରେ ଓଡିଶା ସରକାର ଜୀବନ ଓ ଜୀବିକା ଭିତରେ ସନ୍ତୁଳନ ରକ୍ଷା କରିବା ଉପରେ ଜୋର ଦେଇଛନ୍ତି । ପ୍ରଥମ ଥର ପାଇଁ ଏଭଳି ଇସାରା ଦେଇ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ବେଳେ ଅନେକ କିଛି କଟକଣାକୁ କୋହଳ କରାଯାଇଛି । ବିଶେଷ ଭାବେ କୃଷିକ୍ଷେତ୍ରକୁ କଟକଣା ମୁକ୍ତ କରାଯାଇଛି । କୃଷି ସମ୍ପର୍କୀତ ସବୁ କାମ ଏବେ ଆପଣମାନେ କରିପାରିବେ । ଏଥିସହ ମତ୍ସ୍ୟଚାଷ,ସମବାୟ ବିଭାଗ ସମ୍ପର୍କିତ କାର୍ଯ୍ୟ, ପାନୀୟ ଜଳ, ନରେଗା କାର୍ଯ୍ୟକ୍ରମ ଓ ଗ୍ରାମାଂଚଳରେ ଘର ତିଆରି କାମକୁ ତାଲବନ୍ଦରୁ ବାଦ ଦିଆଯାଇଛି । ଏହି ପଦକ୍ଷେପ ଫଳରେ ଓଡିଶାର ଏକ ବଡ ଜନସଂଖ୍ୟା ଜୀବିକା ଫେରିପାଇବାର ବାଟ ପାଇବେ । ଜାଣନ୍ତୁ କେଉଁ କେଉଁ କ୍ଷେତ୍ରକୁ କଟକଣା ମୁକ୍ତ କରାଯାଇଛି ।

କରୋନାର ଭୟ ଭିତରେ ସତର୍କତାର ଲକ୍ ଡାଉନ୍, ସାଧାରଣ ଜୀବନଯାପନକୁ ସାମୟିକ ଭାବେ ପ୍ରଭାବିତ କରିଛି । ଆଉ ଠିକ୍ ଏକିତି ବେଳେ ଓଡ଼ିଶା ସରକାର ଘୋଷଣା କରିଥିବା ଦ୍ୱିତୀୟ ପର୍ଯ୍ୟାୟ ତାଲା ବନ୍ଦ ପାଇଁ ପ୍ରସ୍ତୁତ ହୋଇଛି ବ୍ୟାପକ ଖସଡ଼ା ।

ଏପ୍ରିଲ ୧୫ରୁ ଏପ୍ରିଲ ୩୦, ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନର ଏହି ଅବଧି ଏଭଳି ଏକ ସମୟ ଯେଉଁ ସମୟରେ ଚଷା ପୁଅ ଘରେ ହାତ ବାନ୍ଧି ବସି ରହିବା କଷ୍ଟକର । କାରଣ, ରବି ଫସଲ ଅମଳ ସହ ଅମଳ ପରବର୍ତୀ ପ୍ରସ୍ତୁତି ପାଇଁ ସଜବାଜ ହୋଇଥାଏ ଚାଷୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ବେଶ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ।

-ଚାଷ ଓ ଚାଷୀଙ୍କ ପାଇଁ କୋହଳ ରହିବ କଟକଣା
-ଫସଲ ଅମଳ, ବିକ୍ରି ଓ ପରିବହନ କରିପାରିବେ ଚାଷୀ
-ଗାଁରୁ ମଣ୍ଡି ଓ ମଣ୍ଡିରୁ ମିଲକୁ ଧାନ ପରିହବନରେ ଅସୁବିଧା ନାହିଁ
– ଚାଷ ପାଇଁ ଟ୍ରାକ୍ଟର, ପାୱାର ଟିଲର, ଧାନକଟା ମେସିନ୍ ଆଦି ବ୍ୟବହାର ହୋଇପାରିବ
-କୃଷି ଯନ୍ତ୍ରପାତି ବିକ୍ରି, ମରାମତି ପାଇଁ ଖୋଲା ରହିବ ଦୋକାନ
-ଧାନ ଅମଳ ଓ କୃଷି କ୍ଷୟକ୍ଷତିର ଆକଳନ ମଧ୍ୟ ହୋଇପାରିବ

ସେହିପରି ଅମଳ ପରବର୍ତୀ ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ଲକଲାଉନର କୌଣସି ପ୍ରଭାବ ପଡ଼ିବ ନାହିଁ କାରଣ । ଏଥିପାଇଁ ରାଜ୍ୟ ସରକାର :
– ବିହନ ବୁଣା, ବିକ୍ରି ଓ ପରିବହନ ଉପରେ କଟକଣାକୁ କୋହଳ କରିଛନ୍ତି
– ଚାଷୀଙ୍କ ପାଇଁ ଖୋଲା ରହିବ ସାର ଓ ଔଷଧ ଦୋକାନ
– ବିହନ, ମୃତ୍ତିକା, ସାର ଓ ଔଷଧ ଆଦି ପରୀକ୍ଷାଗାର ଖୋଲା ରହିବ
– ଜଳ ସଂରକ୍ଷଣ ପାଇଁ ପୋଖରୀ ଖୋଳିପାରିବେ ଚାଷୀ
– ଖରିଫ ଚାଷ ପାଇଁ ଚାଷୀ ଋଣ ନେଇପାରିବେ
– ଏଥିପାଇଁ ବ୍ୟାଙ୍କ୍, ସମବାୟ ସମିତି ଆଦିରୁ ସେବା ପାଇପାରିବେ

ଏହି ସବୁ ବାହାରେ
– ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ପକ୍ଷରୁ ମଧ୍ୟ ଏକାଧିକ କଟକଣାକୁ କୋହଳ କରାଇଛି ।
– ଅଣ୍ଡା, ମାଛ, ମାଂସ, ଦୁଗ୍ଧ ଚିଙ୍ଗୁଳି ଉତ୍ପାଦନ, ସଂରକ୍ଷଣ ଓ ବିକ୍ରି ଉପରେ କଟକଣା ରହିବ ନାହିଁ
– ଗୋ ଖାଦ୍ୟ, ମତ୍ସ୍ୟ ଖାଦ୍ୟ ପୂର୍ବଭଳି ଉପଲବ୍ଧ ରହିବ
ବଡ଼ କଥା ହେଉଛି ଏକ ସୁବ୍ୟବସ୍ଥିତ ଯୋଜନାରେ କରୋନାର ମୁକାବିଲା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର ।