କନକ ବ୍ୟୁରୋ : ଓଡ଼ିଶା ବଜାରରେ ଜମିଲାଣି ଆମ୍ବର ପସରା । ବିଭିନ୍ନ କିସମର ଆମ୍ବ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ବିଶେଷ କରି ବାଇଗଣ ପଲେଇ, ପଣ୍ଡୁ ପଲେଇ ଓ ଲାଟ୍ ସୁନ୍ଦରୀ ଆମ୍ବର ଚାହିଦା ଅଧିକ । କିଲୋପିଛା ଦେଢଶହରୁ ୧୬୦ ଟଙ୍କା ପଡୁଛି । ଦାମ୍ ବେଶୀ ହେଲେ ବି ଆମ୍ବ କିଣିବା ପାଇଁ ଗ୍ରାହକଙ୍କ ଭିତରେ ଆଗ୍ରହ ରହିଛି । ଆମ୍ବ କେଉଁଠୁ ଆସୁଛି । ଏହା ଭଲ ନା ଖରାପ । ଏସବୁ ଜାଣିବା ପାଇଁ କାହାରି ପାଖରେ ସମୟ ନାହିଁ । ଟଙ୍କା ବଢାଇଦେଇ କିଣି ନେଉଛନ୍ତି ଆମ୍ବ ।

ଯଦି ଆପଣ ବି ଏହି ଆମ୍ବ ଖାଇବାକୁ ଇଛା କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ । କାରଣ ଏହି ଆମ୍ବ ଆପଣଙ୍କୁ ବିପଦରେ ପକାଇପାରେ । ବିଶେଷଜ୍ଞଙ୍କ ମତରେ ଅଜଣାତରେ ଆମ୍ବ ସହିତ ଆପଣ ଖାଉଛନ୍ତି ବିଷ । ଏବେ ଆମ୍ବ ପାଚିବାର ସମୟ ହୋଇନାହିଁ । ତେବେ ବଜାରକୁ ପାଚିଲା ଆମ୍ବ କେଉଁଠୁ ଆସିଲା ତାହା ଜାଣିବା ପାଇଁ ଆମେ ପହଂଚିଥିଲୁ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ରରେ । ଯେଉଁଠି ବର୍ଷ ବର୍ଷ ଧରି ଆମ୍ବର ବିଭିନ୍ନ କିସମ ଉପରେ ହେଉଛି ଗବେଷଣା । ବଜାରରେ ଆଗୁଆ ମିଳୁଥିବା ଆମ୍ବକୁ ନେଇ ସତର୍କ କରାଇଛନ୍ତି କୃଷି ବୈଜ୍ଞାନିକ । ସମ୍ପୂର୍ଣ୍ଣ ବିକଶିତ ହେବା ପୂର୍ବରୁ ବିଭିନ୍ନ ରାସାୟନିକ ପ୍ରୟୋଗ କରି ଆମ୍ବକୁ ପଚାଇବାକୁ ଚେଷ୍ଟା କରାଯାଉଛି ।
ଆମ୍ବ ପଚାଇବାକୁ ରାସାୟନିକ
କ୍ୟାଲସିୟମ କାର୍ବାଇଡ ଓ ଏଥିଲିନ ପରି ରାସାୟନିକ ପଦାର୍ଥ ମିଶାଯାଉଛି
ଆବଶ୍ୟକତାଠୁ ଅଧିକ ମିଶାଇଲେ ସ୍ୱାସ୍ଥ୍ୟ ପ୍ରତି ସାଂଘାତିକ ବିପଦ ସୃଷ୍ଟି କରିପାରେ
ବୋଲି କୃଷି ବୈଜ୍ଞାନିକ କହିଛନ୍ତି ।

ଆମ୍ବ ପାଚିବାର ଋତୁ ହୋଇନାହିଁ , ଏଥିରେ ରାସାୟନିକ ମିଶାଯାଉଥିବା ସଭିଏଁ ଜାଣନ୍ତି । ତେବେ ଏଭଳି ଆମ୍ବ ଖାଇଲେ ପେଟ ରୋଗ ବଢିବାର ନଜିର ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ଏଭଳି ଆମ୍ବ ନିୟମିତ ଖାଉଥିଲେ କ୍ୟାନସର ହେବାର ଆଶଙ୍କା ମଧ୍ୟ ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

କେବଳ ଆମ୍ବ ନୁହଁ ରାସାୟନିକ ପ୍ରୟୋଗ କରି ଅନେକ ଫଳକୁ ପଚାଇ ବଜାରକୁ ଆଣୁଛନ୍ତି ବ୍ୟବସାୟୀ । ଭଲ ପଇସା ରୋଜଗାର କରୁଛନ୍ତି ଆଉ ତା ବଦଳରେ ବାଂଟି ଚାଲିଛନ୍ତି ଅନେକ ରୋଗ । ଖାଦ୍ୟ ସୁରକ୍ଷା ବିଭାଗ ଏସବୁ ଦେଖି ମଧ୍ୟ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।