କନକ ବ୍ୟୁରୋ: ଅଗ୍ନିବୀର ପ୍ରସଙ୍ଗରେ ତାତିଲା ସଂସଦ । ସୋମବାର ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ମୋଦୀ ସରକାର ଅଗ୍ନିବୀରଙ୍କ ମୃତ୍ୟୁ ହେଲେ ତାଙ୍କୁ ସହିଦର ମାନ୍ୟତା ଦେଉନି । ଏମିତି କି ତାଙ୍କୁ କ୍ଷତିପୂରଣ ମଧ୍ୟ ଦେଉନି । ତେଣୁ କଂଗ୍ରେସ କ୍ଷମତାକୁ ଆସିଲେ ଏହି ଯୋଜନାକୁ ହଟେଇବ । ଅଗ୍ନିବୀର ଯୋଜନା ସେନାର ନୁହେଁ ବରଂ ପିଏମଓର ସ୍କିମ ବୋଲି ସଂସଦରେ କହିଛନ୍ତି ରାହୁଲ ଗାନ୍ଧୀ ।
ଅନ୍ୟପଟେ ଏହାର ଜବାବ୍ ରଖି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଅଗ୍ନିବୀର ସହିଦଙ୍କୁ ସରକାରଙ୍କ ତରଫରୁ ଏକ କୋଟି ଟଙ୍କାର କ୍ଷତିପୂରଣ ରାଶି ଯୋଗାଇ ଦିଆଯାଏ । ରାହୁଲ ଗାନ୍ଧୀ ଅଗ୍ନିବୀରଙ୍କୁ ନେଇ ଭୁଲ ବୟାନ ଦେଇଛନ୍ତି । ସେ ସଂସଦକୁ ଭୁଲେଇବାକୁ ଚେଷ୍ଟା କରୁଛନ୍ତି ।
ଜାଣିରଖିବା ଉଚିତ୍ ଯେ, ୨୦୨୨ ମସିହା ଜୁନ୍ ମାସ ୧୪ ତାରିଖରେ ମୋଦୀ ସରକାର ଅଗ୍ନିବୀର ଯୋଜନାର ଘୋଷଣା କରିଥିଲେ । ଏହି ଯୋଜନାରେ ୧୭.୫ ବର୍ଷରୁ ୨୧ ବର୍ଷ ସୀମା ଭିତରେ ଥିବା ଯୁବକ ଅଗ୍ନିବୀର ହେଇପାରିବେ ବୋଲି ନିୟମ ରହିଥିଲା । ଏହି ଯୋଜନାରେ ଭାରତୀୟ ସ୍ଥଳ ସେନା, ବାୟୁ ସେନା, ଏବଂ ନୌସେନାରେ ଯବାନମାନଙ୍କୁ ୪ ବର୍ଷ ପାଇଁ କାମ କରିବାର ସୁଯୋଗ ମିଳେ । ୪ ବର୍ଷ କାମ କରିସାରିବା ପରେ କେବଳ ୨୫ ପ୍ରତିଶତ ଯବାନଙ୍କୁ ସେନାର ସ୍ଥାୟୀ ନିଯୁକ୍ତି ମିଳେ । ହେଲେ କେନ୍ଦ୍ରର ଏହି ଯୋଜନାକୁ ବିରୋଧୀମାନେ ଲଗାତାର ବିରୋଧ କରି ଆସୁଛନ୍ତି । ନିୟମ ମୁତାବକ, ଯୁଦ୍ଧରେ ସହିଦ ହେଇଥିବା ଅଗ୍ନିବୀରଙ୍କୁ କ୍ଷତିପୂରଣ ରାଶି ମଧ୍ୟ ମିଳିଥାଏ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ ଉତ୍ତର ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/07/11-1.jpg)