କୌଣସି ପରିସ୍ଥିତିରେ ପ୍ରତ୍ୟାହାର ହେବନି ଅଗ୍ନିପଥ ଯୋଜନା: ଡୋଭାଲ କହିଲେ, ଦେଶର ମାହୋଲ ଦ୍ରୁତ ଗତିରେ ବଦଳୁଛି

151

କନକ ବ୍ୟୁରୋ: ପରିବର୍ତନ ଆସିଲେ, ମନରେ ଭୟ ରହିବା ସ୍ୱାଭାବିକ । ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ସୁରକ୍ଷିତ । ଏଏନଆଇକୁ ଏକ ସାକ୍ଷାତକାର ଦେବା ଅବସରରେ ଏପରି କଥା କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ । ସେ କହିଛନ୍ତି, ଦିନକୁ ଦିନ ଭାରତର ଆଖପାଖ ପରିସ୍ଥିତି ବଦଳୁଛି ଏବଂ ନୂଆ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସୁଛି । ତେଣୁ ଏଭଳି ସ୍ଥିତିରେ ପରିବର୍ତନ ନିହାତି ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ସୁରକ୍ଷାକୁ ପ୍ରାଥମିକତା ଦେଇଆସିଛନ୍ତି । ତେଣୁ ସୁରକ୍ଷା ପାଇଁ ଅଗ୍ନିପଥ ଯୋଜନା ଦେଶ ପାଇଁ ନିହାତି ଦରକାର ବୋଲି ଏନଏସଏ କହିଛନ୍ତି । ସେହିପରି ଅଗ୍ନିବୀରଙ୍କୁ ନେଇ ଡୋଭାଲ୍ କହିଛନ୍ତି, ଅଗ୍ନିବୀର କେବେବି ପୂର୍ଣ୍ଣ ସେନା ହୋଇପାରିବେ ନାହିଁ ।

ଯେଉଁ ଅଗ୍ନିବୀର ନିୟମିତ ସେନାରେ ଭର୍ତି ହେବେ, ସେମାନଙ୍କର ଟ୍ରେନିଂ ବହୁତ କଠିନ ହେବ । ସେମାନଙ୍କୁ ଅଭିଜ୍ଞତା ହାସଲ କରିବା ପାଇଁ ସମୟ ଲାଗିବ ବୋଲି ସେ କହିଛନ୍ତି । ଡୋଭାଲ୍ ଆହୁରି କହିଛନ୍ତି, ପ୍ରଥମ ଅଗ୍ନିବୀର ଯେତେବେଳେ ସେବାରୁ ନିବୃତ ହେବେ, ସେତେବେଳେ ତାଙ୍କୁ ୨୫ ବର୍ଷ ବୟସ ହୋଇଥିବ, ଆଉ ସେତେବେଳେ ଭାରତର ଇକୋନମୀ ୫ ଟ୍ରିଲିୟନ୍ ଡଲାରରେ ପହଂଚିଥିବ । ଅଗ୍ନିପଥ ଯୋଜନାକୁ ନେଇ ଲାଗି ରହିଥିବା ବିରୋଧ ପ୍ରଦର୍ଶନ ସମ୍ବନ୍ଧରେ ସେ କହିଛନ୍ତି, ପରିବର୍ତନ ଆସିଲେ, ଭୟ ରହିବା ସ୍ୱାଭାବିକ । ଯୋଜନା ଘୋଷଣା ହେବା ପରେ ଯୁବଗୋଷ୍ଠୀ ଧିରେ ଧୀରେ ଭଲଭାବେ ବୁଝିସାରିଛନ୍ତି ଯେ ଏହା ସେମାନଙ୍କ ପାଇଁ ଫାଇଦାଯୋଗ୍ୟ ହେବ । ଯୁବକଙ୍କ ମନରେ ଯେଉଁ ଭୟ ରହିଛି, ତାକୁ ନିଶ୍ଚିତ ଦୂର କରାଯିବ ବୋଲି ଡୋଭାଲ କହିଛନ୍ତି ।