କନକ ବ୍ୟୁରୋ : ଭାରତୀୟ ସେନାରେ ସାମିଲ ହେବାକୁ ଚାହୁଁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ସେନାରେ ସାମିଲ ହେବାକୁ ଏବେ ଅଗ୍ନିପଥ ସାଜିବ ନୂଆ ରାସ୍ତା । ସରକାର ଖୁବଶୀଘ୍ର ଅଗ୍ନିପଥ ପ୍ରବେଶ ଯୋଜନା ଆରମ୍ଭ କରିପାରନ୍ତି । ଏନେଇ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରସ୍ତୁତି ମଧ୍ୟ ଏକପ୍ରକାର ଶେଷ ହୋଇଛି ।
ଏହି ଯୋଜନାରେ ଯୁବକ ମାନଙ୍କୁ ୩ ବର୍ଷ ପାଇଁ ସେନାରେ ସାମିଲ ହେବାକୁ ସୁଯୋଗ ମିଳିବ । ଏହି ଯୁବକମାନଙ୍କୁ ଅଗ୍ନିବୀର କୁହାଯିବ । ଆଉ ଏହି ଅଗ୍ନିବୀରଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ପ୍ରତିଭାବାନ ଯୁବକମାନଙ୍କୁ ସେନାରେ ନିଯୁକ୍ତି ମିଳିବ ଏବଂ ଅନ୍ୟମାନଙ୍କ କ୍ଷେତ୍ରରେ ଭିନ୍ନ ସ୍ଥାନରେ ଚାକିରି କରିବାର ବିକଳ୍ପ ରହିବ । ସେନାରେ ପ୍ରଶିକ୍ଷିତ ଯୁବକ ମାନଙ୍କୁ କର୍ପୋରେଟ ସେକ୍ଟରରେ ନିଯୁକ୍ତି ଦେବାକୁ ସରକାର ଆଲୋଚନା ଆରମ୍ଭ କରିଛନ୍ତି । ଏପରିକି କିଛି କର୍ପୋରେଟ ସଂସ୍ଥା ଅଗ୍ନିବୀରଙ୍କୁ ନିଜ ସଂସ୍ଥାରେ ନିଯୁକ୍ତି ଦେବାକୁ ମଧ୍ୟ ଆଗ୍ରହ ଦେଖାଉଛନ୍ତି ।
'Agnipath' to be new entry path for youth to join Indian defence forces as Agniveers
Read @ANI Story | https://t.co/kEKRV5JoGp#Angipath#IndianArmy#Agniveerpic.twitter.com/bLZ7CBMDsh
— ANI Digital (@ani_digital) April 6, 2022
ଅଗ୍ନିପଥ ଯୋଜନା ପରିଚାଳନା ବାବଦରେ ୩ ସେନାବାହନୀ ନିଜ ତରଫରୁ ଏକ ପ୍ରେଜେଣ୍ଟେସନ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ତେବେ ଏହି ଅଗ୍ନିବୀର ଯୋଜନା ୨ ବର୍ଷ ପୂର୍ବେ ଆରମ୍ଭ କରିବାକୁ ପ୍ରାରମ୍ଭିକ ସ୍ତରରେ ଆଲୋଚନା ହୋଇଥିଲା । ଯେତେବେଳେ ଟୁର ଅଫ୍ ଡ୍ୟୁଟି ଯୋଜନା ବାବଦରେ ଚର୍ଚ୍ଚା ହେଉଥିଲା । ଏଥିରେ ଯୁବକ ମାନଙ୍କୁ ସେନାରେ ସିମିତ ଅବଧି ପାଇଁ ସାମିଲ କରାଯାଏ ଏବଂ ପ୍ରଶିକ୍ଷଣ ଦିଆଯାଏ । ଏହାଛଡା ଏମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଏ । ଏହାଦ୍ୱାରା ସେନା ପାଖରେ କୌଣସି ଜରୁରୀକାଳୀନ ସ୍ଥିତିରେ ପ୍ରଶିକ୍ଷିତ ସୈନ୍ୟଙ୍କର ଯେପରି ଅଭାବ ନଥିବ ।
ଗତ ୨ ବର୍ଷ ହେବ ମହାମାରୀ କାରଣରୁ ସେନାରେ ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ରିପୋର୍ଟ ଅନୁଯାୟୀ, ଏବେ ସେନାରେ ୧.୨୫ ଲକ୍ଷ ପଦବୀ ଫାଙ୍କା ରହିଛି । ତେଣୁ ଏହି ଅଗ୍ନିପଥ ଯୋଜନା ମାଧ୍ୟମରେ ଫାଙ୍କା ପଡିଥିବା ପଦବୀରେ କିଛି ସୈନିକଙ୍କୁ ସାମିଲ କରାଯାଇପାରିବ । ସବୁଠୁ ବଡ କଥା ହେଲା, ଏହାଦ୍ୱାରା ଦରମା, ପେନସନ ବାବଦକୁ କୋଟି କୋଟି ଟଙ୍କା ବଞ୍ଚିଯିବ । ତେବେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଖୁବଶୀଘ୍ର ସରକାର ଏବାବଦରେ ବଡ ନିଷ୍ପତ୍ତି ନେଇପାରନ୍ତି ।