କନକ ବ୍ୟୁରୋ: ଟୋକନକୁ ନେଇ କମୁନି ଚାଷୀଙ୍କ ଅସନ୍ତୋଷ । ଏମିତିକି ମଣ୍ଡିରେ ଚାଷୀ ହଟହଟା ହେଉଥିବା ଅଭିଯୋଗ କରୁଛନ୍ତି । ଆଉ ଆବଶ୍ୟକ ପଡିଲେ ପୁଣି ଆନ୍ଦୋଳନର ଚେତାବନୀ ଦେଉଛନ୍ତି । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ପଶ୍ଚିମଓଡିଶାର ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ସେପଟେ ଟୋକନ ହଟିଛି ନା ନାହିଁ ତାକୁ ନେଇ ବିବାଦ ହେଲା, ବିଧାନସଭା ବି ହୁଲୁସ୍ତୁଲ ହେଲା । କିନ୍ତୁ ଚାଷୀଙ୍କ ସମସ୍ୟା ଆଜି ବି ଦୂର ହୋଇ ନଥିବା ଅଭିଯୋଗ ହୋଇଛି ।
ଟୋକନ ଜରିଆରେ ମଣ୍ଡିରେ ଧାନକିଣାକୁ ନେଇ ବରଗଡ଼ରେ ଲାଗିରହିଛି ଅସନ୍ତୋଷ । ଟୋକନ ବ୍ୟବସ୍ଥାରେ ସୁଧାର ଆସିନଥିବାରୁ ମଣ୍ଡିରେ ଧାନ ବିକି ପାରୁନାହିଁ ଚାଷୀ । ଚାଷୀ ଅଭିଯୋଗ କରିଛନ୍ତି, ବରଗଡ଼ ଜିଲ୍ଲା ହୀରାକୁଦ ଜଳସେଚନ ଅଂଚଳ ହୋଇଥିବାରୁ ଡିସେମ୍ବର ୩୧ ସୁଦ୍ଧା କିପରି ଧାନ ବିକିପାରିବେ, ସେଥିପାଇଁ ଟୋକନ ବ୍ୟବସ୍ଥାକୁ କୋହଳ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଧାନ ଆଣିବା ମାତ୍ରେ ୩-୪ ଘଂଟା ଭିତରେ କିଣିନେବା ସହ ୨୪ ଘଂଟା ଭିତରେ ଟଙ୍କା ଜମା ହୋଇଯିବ ବୋଲି କୁହାଯାଇଥିଲା । ହେଲେ ସବୁ ପ୍ରତିଶ୍ରୁତି ପାଣିରେ ଗାର ପାଲଟିଗଲା ବୋଲି ଅଭିଯୋଗ କରିଛନ୍ତି ବରଗଡ଼ର ଚାଷୀ ।
ଟୋକନ ମିଳିନଥିବାରୁ ଧାନ ଆଣି ଦିନ ଦିନ ଧରି ଶୀତ-କାକରରେ ମଣ୍ଡିରେ ପଡିରହିଛନ୍ତି ଚାଷୀ । ଏହାକୁ ନେଇ ଅସନ୍ତୋଷ ବଢ଼ୁଥିବା ବେଳେ ପୁଣି ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଚାଷୀ ସଂଗଠନ । ମାର୍କେଟ ୟାର୍ଡରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ପିସିସିର ୫ ଜଣିଆ ଟିମ୍ ମାର୍କେଟ ୟାର୍ଡ ବୁଲି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଚାଷୀ ଓ ମାର୍କେଟ ୟାର୍ଡ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସର କୃଷକ ସେଲର କର୍ମକର୍ତା ।
କିଛି ଦିନ ତଳେ ଟୋକନ ବ୍ୟବସ୍ଥାର ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ଜୋରଦାର ଆନ୍ଦୋଳନ କରିଥିଲେ ଚାଷୀ । ଶହ ଶହ ଚାଷୀ ରାସ୍ତାକୁ ଓହ୍ଲାଇବା ସହ ବିଭିନ୍ନ ସରକାରୀ ଦପ୍ତରରେ ତାଲା ପକାଇଥିଲେ । ନେତା ଓ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ତେବେ ଧାନକିଣାରେ ସୁଧାର ଆସିନଥିବାରୁ ମଣ୍ଡିରେ ଅଚଳାବସ୍ଥା ଜାରି ରହିଛି । ପୁଣି ଏକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/1-9.png)
/kanak/media/post_attachments/wp-content/uploads/2019/11/Screen-Shot-2019-11-29-at-7.37.19-AM-300x225.png)
/kanak/media/post_attachments/wp-content/uploads/2019/11/Capture24-1-300x189.jpg)