ଟିକେଟକୁ ନେଇ ବିଜେପିରେ ବିଦ୍ରୋହ: ଧର୍ମଶାଳା, ପିପିଲି ଓ ମାଥିଲିରେ ବଢୁଛି ଅସନ୍ତୋଷ

ପୁର୍ନବିଚାର ନକଲେ ଧର୍ମଶାଳାରେ ସମୂହ ଇସ୍ତଫା ଧମକ, ସେପଟେ ଦଳରେ ପ୍ରାର୍ଥୀ ଚୟନରେ ଅନିୟମିତତା ଅଭିଯୋଗ ଆଣିଲେ ନେତା

263

କନକ ବ୍ୟୁରୋ: ବିଜେପି ବିଧାୟକ ଟିକେଟ ଘୋଷଣା ହେବାପରେ ଆଶାୟୀ ପ୍ରାର୍ଥି ଓ ସେମାନଙ୍କ ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ବଡଚଣା ପରେ ଧର୍ମଶାଳାକୁ ବ୍ୟାପିଛି । ଏହାର ପ୍ରତିଫଳନ କୁଆଖିଆଠାରେ ଦେଖିବାକୁ ମିଳିଛି । ଏକଦା କଳ୍ପତରୁଙ୍କ ଅନୁଗତ ଥିବା ସୁରେନ୍ଦ୍ର ପଣ୍ଡା ବିଜେପିରୁ ଆଶାୟୀ ଥିଲେ । ତେବେ ଶେଷରେ ତାଙ୍କୁ ହତାଶ ହେବାକୁ ପଡିଛି । ଗତ ୨୦୦୯ ଓ ୨୦୧୪ରେ ରମେଶ ପରିଡା ଲଗାତର ବିଜେପି ଟିକେଟରେ ଧର୍ମଶାଳାରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ମଧ୍ୟ ଏଥର ଦଳ ତାଙ୍କୁ ଧର୍ମଶାଳା ଆସନ ପାଇଁ ଦଳୀୟ ଟିକେଟ ଦେଇଛି । ଏହି ଘୋଷଣା ପରେ ସୁରେନ୍ଦ୍ରଙ୍କ ସମର୍ଥକମାନେ କୁଆଖିଆଠାରେ ବୈଠକ କରି ଦଳର ହାଇକମାଣ୍ଡ ପ୍ରାର୍ଥି ଚୟନର ପୁନଃବିଚାର ନକଲେ ସମୂହ ଇସ୍ତଫା ଦେବେ ବୋଲି କହିଛନ୍ତି । ଅନ୍ୟପଟରେ ସୁରେନ୍ଦ୍ର ଏନେଇ ନିଜର ପ୍ରତିକ୍ରିୟା ଦେବାକୁ ମନାକରିଦେଇଛନ୍ତି ।

ମାଥିଲି : ବିଜେପି ପ୍ରାର୍ଥୀ ଚୟନକୁ ନେଇ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ଚିତ୍ରକୋଣ୍ଡାରେ ବିଜେପି ଟିକେଟ ବଂଟନକୁ ନେଇ ଅସନ୍ତୋଷ ଦେଖାଦେଇଛି । ବିଜେପି ପକ୍ଷରୁ ପଦୁ ମାଝୀଙ୍କୁ ଟିକେଟ ଦିଆଯିବାକୁ ବିରୋଧ କରିଛନ୍ତି ବିଜେପା ନେତା ତଥା ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା । ଚୟନ ହୋଇଥିବା ପ୍ରାର୍ଥୀ ରଣା ସମ୍ପ୍ରଦାୟର । ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଆଦିବାସୀ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଥିବା ବେଳେ କିପରି ଜଣେ ଅଣ ଆଦିବାସୀଙ୍କ ଟିକେଟ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ମାଥିଲି ବ୍ଲକ ପାଙ୍ଗାମାଠାରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ପିପିଲି : ସେପଟେ ଟିକେଟ ବଂଟନକୁ ନେଇ ପୁରୀ ଜିଲ୍ଲା କଣାସରେ ମଧ୍ୟ ଉତେଜନା ଦେଖାଦେଇଛି । ବିଜେପି ପକ୍ଷରୁ ସତ୍ୟବାଦୀରେ ଓମ ପ୍ରକାଶ ମିଶ୍ରଙ୍କୁ ଟିକେଟ ମିଳିବାକୁ ନେଇ ବିରୋଧ କରାଯାଇଛି । ରମା ରଂଜନ ବଳିଆରସିଂହଙ୍କ ସମର୍ଥକ ମାନେ ଓମ ପ୍ରକାଶ ମିଶ୍ରଙ୍କୁ ଟିକେଟ ଦେବାକୁ ତୀବ୍ର ବିରୋଧ କରିଛନ୍ତି । ଏହାକୁ ନେଇ କଣାସରେ ପ୍ରତିବାଦ ସଭା କରାଯାଇଛି । ସତ୍ୟବାଦୀ ପ୍ରାର୍ଥୀ ଚୟନକୁ ନେଇ ପୁର୍ନବିଚାର କରାଯିବା ପାଇଁ ଦାବି ହୋଇଛି ।

ଅନ୍ୟପଟେ, କଂଗ୍ରେସରେ ବି ଟିକେଟ୍ ବଂଟନକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଯାହାର ପ୍ରତିଫଳନ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି । କଂଗ୍ରେସ ଭବନରେ ପଶି ତୁମୁଳକାଣ୍ଡ ଘଟାଇଛନ୍ତି ଦଳୀୟ କର୍ମୀ । ଚେୟାର ଟେବୁଲ ଭଂଗାରୁଜା କରିଛନ୍ତି । କଂପ୍ୟୁଟର ଭାଂଗିଛନ୍ତି । ଏପରିକି କଂଗ୍ରେସ ଭବନରେ ତାଲା ପକାଇଦେଇଛନ୍ତି । ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ରଶ୍ମିରେଖା ମହାପାତ୍ରଙ୍କୁ ବିରୋଧ କରି ଭଂଗାରୁଜା ହୋଇଛି ।