ବାଣୀବିହାରରେ ଶାନ୍ତି ଫେରାଇ ଆଣିବା ପାଇଁ ଛାତ୍ରଙ୍କ ସହ ଆଲୋଚନା କଲେ କୁଳପତି: କହିଲେ, ଦିଆଯିବ ଉତ୍ତମ ମାନର ଖାଦ୍ୟ, କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିବ ରୋକ

ପୁଲିସ କମିସନରଙ୍କୁ ବି ଭେଟିଲେ, ଅଶାନ୍ତ ପରିସ୍ଥିତିକୁ ନେଇ ଜଣାଇଲେ

841

କନକ ବ୍ୟୁରୋ: ବାଣୀବିହାରରେ ଦୁଇ ଛାତ୍ରଛାତ୍ରୀ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ପୁଲିସ କମିସନରଙ୍କୁ ଭେଟିଛନ୍ତି କୁଳପତି । ପ୍ରଫେସର ସବିତା ଆଚାର୍ଯ୍ୟ ପୁଲିସ କମିସନରଙ୍କୁ ଭେଟି ବାଣୀବିହାରରେ ଅଶାନ୍ତ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଏହାସହ କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବା ପାଇଁ ଆନ୍ଦୋଳନରତ ଛାତ୍ରଙ୍କ ସହ ମଧ୍ୟ ଭିସି ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଛାତ୍ରମାନେ କୁଳପତିଙ୍କୁ ବିଭିନ୍ନ ଦାବି ସଂପର୍କରେ ଅବଗତ କରାଇଛନ୍ତି । ଏହାସହ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ତେବେ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ଦେବା ସହ ବାଣୀବିହାରରେ ଶାନ୍ତି ବଜାୟ ରଖିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଥିବା ଭିସି ସବିତା ଆଚାର୍ଯ୍ୟ କହିଛନ୍ତି । ଗତକାଲି ବାଣୀବିହାର କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପ୍ରତିବାଦରେ ଗୋପବନ୍ଧୁ ଛାତ୍ରାବାସ ଆଗରେ ଛାତ୍ରମାନେ ଧାରଣା ଦେଇଥିଲେ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ କିଛି ଛାତ୍ର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଯାଉଥିଲେ । ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଏହାର ପ୍ରତିବାଦ କରିଥିଲେ । ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା ।