ଅବହେଳିତ ଗଞ୍ଜାମ ଜିଲ୍ଲାର ଅଘୋରୀ ମଠ। ୮ଶହ ବର୍ଷର ପୁରୁଣା ମଠରେ ରହୁନାହାନ୍ତି ଅଘୋରୀ ବାବା

258

କନକ ବ୍ୟୁରୋ: ସୁକୁଣ୍ଡା ଗାଁର ଗୋକର୍ଣ୍ଣେଶ୍ୱର ମନ୍ଦିର ପଛପଟେ ରହିଛି ଅଘୋରୀ ପାହାଡ଼ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭାରା ପାହାଡ଼ରେ ରହିଛି ୮ଶହ ବର୍ଷର ପୁରୁଣା ଅଘୋରୀ ମଠ । ଅଘୋରୀ ବାବାମାନେ ଏଠାରେ ରହି ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ସହ ଚଣ୍ଡିପାଠ କରୁଥିଲେ । କିନ୍ତୁ ଗତ କିଛି ବର୍ଷ ହେବ କେହି ରହୁନାହାନ୍ତି । ମଠରେ ଦେବୀ ମାଆ ଓ ଜଗନ୍ନାଥଙ୍କ ମନ୍ଦିର ରହିଛି । କିନ୍ତୁ ମନ୍ଦିର ଭିତରର ଅବସ୍ଥା କହିଲେ ନସରେ । ବର୍ଷା ହେଲେ ପାଣି ଗଳୁଛି । ଅଘୋରୀ ମଠରେ ଅଘୋରୀ ବାବା ରହୁନଥିବାରୁ ସୁକୁଣ୍ଡା ଗାଁର ଜଣେ ବ୍ୟକ୍ତି ସକାଳୁ ଯାଇ ଠାକୁରଙ୍କୁ ପୂଜାର୍ଚନା କରୁଛନ୍ତି।

ରାଜ୍ୟର ୨ଟି ସ୍ଥାନରେ ଅଘୋରୀ ମଠ ରହିଛି । ଗୋଟିଏ ପୁରୀ ଜିଲ୍ଲା ଓ ଆଉ ଗୋଟିଏ ଗଞ୍ଜାମ ଜିଲ୍ଲାରେ । ଏଣ୍ଡୋମେଣ୍ଟ ବୋର୍ଡ଼ ଅଧିନରେ ଥିବା ଗଞ୍ଜାମ ଜିଲ୍ଲାର ଅଘୋରି ମଠ ପ୍ରତି କାହାରି ନଜର ନାହିଁ । ଫଳରେ ମଠଟି ଏବେ ଭଗ୍ନ ଅବସ୍ଥାରେ ପଡିରହିଛି । ରହିବାକୁ ଅସୁବିଧା ହେଉଥିବାରୁ ୧୦ ବର୍ଷ ହେବ କୌଣସି ବାବା ରହୁନାହାନ୍ତି ।